ଦାଦନଙ୍କ ଆଙ୍ଗୁଠି କାଟିଲେ, ବିଜୟନଗରମ୍‌ ଇଟାଭାଟିରେ ନିର୍ଯାତନା, ଏସିଡ଼ ମାଡ଼

ସୁନ୍ଦରଗଡ଼/ହେମଗିର: ଜଣେ ଶ୍ରମିକଙ୍କ ହାତର ୪ ଆଙ୍ଗୁଠି କାଟି ଦେଲେ, ଅନ୍ୟ ଜଣେ ଶ୍ରମିକଙ୍କ ମୁହଁକୁ ଏସିଡ୍‌ ଫିଙ୍ଗି ଜାଳିଦେଲେ। ଏବେ ଇଟା ଭାଟିରେ ବନ୍ଧା ପଡ଼ିଛନ୍ତି ୭ ଶ୍ରମିକ। ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ସ୍ଥିତ ଇଟାଭାଟିରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବୁର୍ତ୍ତା ଗାଁର ଶ୍ରମିକଙ୍କ ଉପରେ ଏଭଳି ନରକୀୟ ନିର୍ଯାତନା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏ ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ସହକାରୀ ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା ଆଜି ବୁର୍ତ୍ତା ଯାଇ ଘଟଣାର ତଦନ୍ତ କରିଛନ୍ତି। ଏସିଡ୍‌ ମାଡ଼ରେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ୍ୟ ଅର୍ଥ ଅଭାବରୁ ସେ ଘରେ ପଡ଼ି ରହିଛନ୍ତି। ଆଙ୍ଗୁଠି କଟିଥିବା ଶ୍ରମିକ ଇଟା ଭାଟି ଠିକାଦାରଙ୍କ ପାଖରେ ଅଟକ ଥିବା ଜଣାପଡ଼ିଛି। ଇଟା ଭାଟିରୁ ଲୁଚି ପଳାଇ ଆସିଥିବା ଶ୍ରମିକମାନେ ଏଠା‌େର ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। ସେମାନେ କହିଛନ୍ତି, କାମ ମିଳୁ ନ ଥିବାରୁ ବୁର୍ତ୍ତା ଗାଁର ଜୟଦେବ ଚାନ୍ଦଲିଆ (୪୦), ତାଙ୍କ ପତ୍ନୀ ଭୂମି ଓ ୧୯ ବର୍ଷର ପୁଅ ଶ୍ୟାମସୁନ୍ଦର, କିରଞ୍ଜ ବାରିକ (୫୦) ତାଙ୍କ ପତ୍ନୀ କୌଶଲ୍ୟା (୪୦) ଓ ୪ ବର୍ଷର ଝିଅ, ଶାନ୍ତ ବାରିକ (୨୨), ସୁଭାସ ନାଏକ (୧୮), ବଟି ନା‌ଏକ (୧୬), ଦୋନାଦେ ଚାନ୍ଦଲିଆ (୭୦) ସମେତ ୧୧ ଜଣ ଶ୍ରମିକ ଗତ ଦଶହରା ପୂଜା ପରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌ନିକଟ ଇଟାଭାଟିକୁ ଯାଇ ଇଟା ଗଢ଼ିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବରଗଡ଼ ଭଟଲି ଅଞ୍ଚଳର ଦମ୍ପତି ବି‌ଳାସ ଡୁଙ୍ଗଲିଆ ଓ ସୁମିତ୍ରା ଡୁଙ୍ଗଲିଆ ଦଲାଲ୍ ଭାବେ ସମସ୍ତଙ୍କୁ ଇଟା ଭାଟିକୁ ନେଇଥିଲେ ‌େବାଲି ସେମାନେ ଅଭିଯୋଗ କରି କହିଛନ୍ତି।

ଅଢ଼େଇ ମାସ ଇଟା ଗଢ଼ିବା ପରେ ମହେଶ ନାମକ ଠିକାଦାର ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ବକେୟା ଟଙ୍କା ପରେ ଦେବି ବୋ‌ଲି କହିଥିଲେ। ଘଟଣାକ୍ରମରେ ଗତ ୧୫ ଦିନ ତଳେ ଶ୍ରମିକ ଜୟଦେବ ଚାନ୍ଦଲିଆ ଗାଁକୁ ଚାଲି ଆସିଥିଲେ। କିନ୍ତୁ ଆସିଲା ବେଳେ ୪୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି ବୋଲି କହି ଠିକାଦାର ଜଣକ ଅନ୍ୟ ଶ୍ରମିକମାନଙ୍କୁ ମାଡ଼ପିଟ କରିଥିଲା। ବ୍ିଭିନ୍ନ ସମୟରେ ଠିକାଦାର ଜଣକ ଶ୍ରମିକମାନଙ୍କୁ ନିର୍ଯାତନା ଦେଇ ଚାଲିବାରୁ ଶ୍ରମିକ କିରଞ୍ଜ ବାରିକ ଏହାର ପ୍ରତିବାଦ କରିଥିଲେ। ସାଧାରଣ ଖଟିଖିଆ ଶ୍ରମିକ ମୋ’ ମୁହଁରେ ଜବାବ ଦେଉଛି କହି ଠିକାଦାର ଜଣକ ରାଗରେ ଏକ ଧାରୁଆ ଅସ୍ତ୍ରରେ କିରଞ୍ଜଙ୍କ ଡାହାଣ ହାତରେ ଚୋଟ ବସାଇଥିଲା। ଫଳରେ କିରଞ୍ଜର ୪ଟି ଆଙ୍ଗୁଠି ଛିଣ୍ଡି ଯାଇଥିଲା। ପରେ ଠିକାଦାର ତାର ସାମାନ୍ୟ ଚିକିତ୍ସା କରାଇଥିଲେ। ଏବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ୧୦ ଜଣ ଶ୍ରମିକ ସୁଯୋଗ ଉଣ୍ଡି ସେଠାରୁ ପଳାଇ ଆସୁଥିବା ବେଳେ ଠିକାଦାର ପିଛା କରି ସାଲୋର ନିକଟ‌ରେ ସେମାନଙ୍କୁ ଧରିଥିଲେ। ହେଲେ କିରଞ୍ଜର ୪ ବର୍ଷର ଝିଅ ସମେତ ଶ୍ୟାମସୁନ୍ଦର, ଶାନ୍ତ, ସୁବାସ କୌଣସି ମତେ ସେଠାରୁ ଖସି ଆସି ଶୁକ୍ରବାର ଗାଁରେ ପହଞ୍ଚିଥିଲେ। ଅନ୍ୟପ‌ଟେ ଏ ଘଟଣା ସମ୍ପର୍କରେ ଅଜ୍ଞ ଶ୍ରମିକ ଜୟଦେବ ଗାଁରୁ ପୁଣି ବିଜୟନଗରମ୍‌ ଇଟା ଭାଟିକୁ ଫେରିବା ପରେ ଠିକାଦାର ତାକୁ ପ୍ରବଳ ମାଡ଼ ମାରିବା ସହ ଏସିଡ୍‌ମାଡ଼ ବି କରିଥିଲେ। ଏସିଡ଼୍ ମାଡ଼ ଫଳରେ ଶ୍ରମିକଙ୍କ ମୁହଁ, ଛାତି ଓ ୨ ହାତ ପୋଡ଼ି ଯାଇଛି। ବିନା ପ୍ରାଥମିକ ଚିକିତ୍ସାରେ ଗୁରୁତର ଅବସ୍ଥାରେ ଜୟଦେବ ସେଠାରୁ କଷ୍ଟେମଷ୍ଟେ ଖସି ଆସି ସୋମବାର ଗାଁରେ ପହଞ୍ଚିଥିଲେ। ତାଙ୍କ ଅବସ୍ଥା ଦେଖି ଗାଁ ଲୋକେ ବିଚଳିତ ହୋଇପଡ଼ିଥିଲେ। ଆଜି ସକାଳେ ତାଙ୍କୁ ହେମଗିର ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ କହିଛନ୍ତି। କିନ୍ତୁ ଅର୍ଥ ଅଭାବରୁ ସେ ଚିକିତ୍ସା ପାଇଁ ସେଠାକୁ ନ ଯାଇ ଘରେ ପଡ଼ି ରହିଛନ୍ତି। କାରଣ ତାଙ୍କ ପତ୍ନୀ ଭୂମି ମଧ୍ୟ ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିରଞ୍ଜ ବାରିକ ଓ ତାଙ୍କ ପତ୍ନୀ କୌଶଲ୍ୟା, ବଟି ନାଏକ, ଦୋନାଦେ ଓ ଅନ୍ୟ ଜଣେ ଶ୍ରମିକଙ୍କୁ ମଧ୍ୟ ଠିକାଦାର ଅଟକ ରଖିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶ୍ରମିକ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଅଟକ ଶ୍ରମିକଙ୍କୁ ଉଦ୍ଧାର କରିବା ସହିତ ଗୁରୁତର ଶ୍ରମିକଙ୍କ ଚିକିତ୍ସା କରାଇବାକୁ ଗାଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର