ତଥ୍ୟ ଦେଇନାହାନ୍ତି ୭୦ କଲେଜ

ବିଶ୍ୱବ୍ୟାଙ୍କ ପ୍ରକଳ୍ପ ଲାଗି ଆଇସିସି ବାଧ୍ୟତାମୂଳକ

ଭୁବନେଶ୍ୱର : କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣ ରୋକିବା ଲାଗି ଅଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ କରିବା ବାଧ୍ୟତାମୂଳକ ବୋଲି ୨୦୧୩ ଆଇନରେ କୁହାଯାଇଛି। ଏନେଇ କଲେଜଗୁଡ଼ିକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ କେତେକ କଲେଜ ଏହାକୁ ଖାତିର କରୁନାହାନ୍ତି। ଆଇସିସି ଗଠନ କରୁ ନ ଥିବା ନଜରକୁ ଆସିଛି। ଏବେ ବିଶ୍ୱବ୍ୟାଙ୍କ ପ୍ରକଳ୍ପରେ ସାମିଲ ହୋଇଥିବା ୮୯ଟି କଲେଜ ମଧ୍ୟରୁ ୭୦ଟି ଆଇସିସି ଗଠନ ନେଇ ତଥ୍ୟ ଦେଇନାହାନ୍ତି। ଯେଉଁଥିପାଇଁ ବିଶ୍ୱବ୍ୟାଙ୍କ ପ୍ରକଳ୍ପରେ ସାମିଲ ନେଇ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ୭ ଦିନ ମଧ୍ୟରେ କମିଟି ଗଠନ ନେଇ ତଥ୍ୟ ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ବିଶ୍ୱବ୍ୟାଙ୍କ ପ୍ରକଳ୍ପରେ ୮୯ଟି କଲେଜ ସାମିଲ ହୋଇଛନ୍ତି। ଏଥିରେ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ବି ରହିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୯ଟି କଲେଜ ଏପର୍ଯ୍ୟନ୍ତ ଆଇସିସି କମିଟି ଗଠନ ନେଇ ସବିଶେଷ ତଥ୍ୟ ଦେଇଛନ୍ତି।

ତେବେ ବିଶ୍ୱବ୍ୟାଙ୍କ ଲାଗି ମନୋନୀତ ହୋଇଥିବା କଲେଜଗୁଡ଼ିକ ମଧ୍ୟରୁ ୭୦ଟି କଲେଜ ଆଇସିସି ଗଠନ ନେଇ ତଥ୍ୟ ଦେଇନାହାନ୍ତି। ଏଥିରେ ରେ ୫୪ଟି ଅନୁଦାନପ୍ର୍ରାପ୍ତ କଲେଜ ଏବଂ ୧୬ଟି ସରକାରୀ କଲେଜ ରହିଥିବା ଜଣାପଡ଼ିଛି। ଅନୁଗୁଳ, ବରଗଡ଼, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାର ୩ଟି ଲେଖାଏ ଅନୁଦାନପ୍ରାପ୍ତ କଲେଜ ରହିଛି। ୧୬ଟି ସରକାରୀ କଲେଜ ମଧ୍ୟରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଜୟପୁରର ବିକ୍ରମ ଦେବ କଲେଜ, କେନ୍ଦୁଝରର ଡି.ଡି.କଲେଜ, ବଲାଙ୍ଗୀରର ରାଜେନ୍ଦ୍ର ସ୍ୱୟଂଶାସିତ କଲେଜ, ମୟୂରଭଞ୍ଜର ଏମ୍‌ପିସିଏ ସ୍ୱୟଂଶାସିତ କଲେଜ ରହଛି। ୭ ଦିନ ମଧ୍ୟରେ ସମ୍ପୃକ୍ତ ୭୦ଟି କଲେଜ ଆଇସିସି ଗଠନର ସ୍ଥିତି, ଠିକଣା, କମିଟି ମୁଖ୍ୟଙ୍କ ଫୋନ୍‌ ନମ୍ବର, ଏନେଇ ଆସିଥିବା ଅଭିଯୋଗ ଉପରେ କ’ଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର