ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଘାଟିତ

ମଥୁରାନଗରୀ: ମଥୁରାନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି। ପ୍ରବଳପ୍ରତାପୀ ମହାରାଜ କଂସଙ୍କ ପ୍ରକୋପରେ ଥରହର ମଥୁରା ନଗରବାସୀ। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଯାତ୍ରା ୬୯ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ବିଧିବଦ୍ଧ ଭାବେ ଉଦ୍‌ଘାଟିତ ହୋଇଛି। ଅପରାହ୍‌ଣରେ ସ୍ଥାନୀୟ ଗାନ୍ଧୀଛକ ସ୍ଥିତ ଗାନ୍ଧୀଜୀ, ସ୍ୱଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଭିରାମ କେରକେଟା ଓ ଧନୁଯାତ୍ରା ଆୟୋଜନ କମିଟି କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା। ନଗର ପରିକ୍ରମା ପରେ ଶୋଭାଯାତ୍ରା ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ପାରମ୍ପାରିକ ପୂଜାର୍ଚ୍ଚନା ପରେ ସଜ୍ଜିତ ହାତୀ, ଘୋଡ଼ା ଗାଡ଼ି ସହ ଏକ ବର୍ଣ୍ଣାଢ୍ୟ ପଟୁଆର ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲା। ସେଠାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଥିଲା। ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଡ. ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ, ଏସ୍‌ପି ଯୁଗଳ କିଶୋର, ନଗରପାଳ ପ୍ରଶାନ୍ତ ବେହେରା, ଉପନଗରପାଳ କଳ୍ପନା ମାଝୀ ପ୍ରମୁଖ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମହୋତ୍ସବ କମିଟି ସଂଯୋଜକ ସୁରେଶ୍ୱର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂହ ଧନ୍ୟବାଦ ଦେଇଥିଲେ। ଆନୁଷ୍ଠାନିକ ସଭା ପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ନାଟ୍ୟାଭିନୟ। ପ୍ରଥମେ ଦେବକୀ-ବସୁଦେବଙ୍କ ବିବାହ ତଥା ପରେ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ନିଜ ମୃତ୍ୟୁର କାରଣ ହେବ ବୋଲି ଜାଣିବାକୁ ପାଇ କଂସ ମହାରାଜ ବିଚଳିତ ହୋଇପଡ଼ିଥିଲେ। ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ମହାରାଜ ସିଂହାସନ ଅକ୍ତିଆର କରିଛନ୍ତି। ଏହାପରେ ଦେବକୀ ଏବଂ ବସୁଦେବଙ୍କୁ କାରାଗାରକୁ ପ୍ରେରଣ କରିଛନ୍ତି।

ସମ୍ବନ୍ଧିତ ଖବର