ୱାର୍ଲ‌୍ଡ ଇଣ୍ଟିଗ୍ରେଟେଡ୍‌ ମେଡିସିନ୍‌ ଫୋରମ୍‌ ଆଲୋଚନାଚକ୍ର : ସବୁ ଦେଶ ପାଇଁ ଏକପ୍ରକାର ଫାର୍ମାକୋପିଆ ପ୍ରଚଳନ ହେଉ

ଭୁବନେଶ୍ବର : ଭାରତ ସରକାରଙ୍କ ଆୟୁଷ ବିଭାଗ ଆନୁକୂଲ୍ୟରେ ୱାର୍ଲ‌୍ଡ ଇଣ୍ଟିଗ୍ରେଟେଡ୍‌ ମେଡିସିନ୍‌ ଫୋରମ୍‌ ଆନ୍ତର୍ଜାତୀୟ ଆଲୋଚନାଚକ୍ର ଗୋଆରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନତମାନର ଔଷଧ ପ୍ରସ୍ତୁତି, ମାନ ନିର୍ଧାରଣ ଏବଂ ସମସ୍ତ ଦେଶ ବିଦେଶ ପାଇଁ ଏକ ପ୍ରକାର ଫାର୍ମା‌କୋପିଆ ପ୍ରଚଳନ ପାଇଁ ଏହି ଅବସରରେ ମତ ପ୍ରକାଶ ପାଇଥିଲା। ବିଶ୍ବର ବର୍ତମାନ ୮୦ଟି ଦେଶରେ ହୋମିଓପାଥିର ପ୍ରଚଳନ ଥିବାରୁ ସମସ୍ତ ଦେଶ ପାଇଁ ଏକ ପ୍ରକାର ଫାର୍ମାକୋପିଆର ପ୍ରଚଳନ ପାଇଁ ଗୁରୁତ୍ବାରୋପ କରାଯାଇଥିଲା। କେନ୍ଦ୍ର ହୋମିଓପାଥି ଗବେଷଣା ଦ୍ବାରା ପରିଚାଳିତ ଏହି ବିଶ୍ବସ୍ତରୀୟ ଫୋରମ୍‌ରେ ଆମେରିକା, ବ୍ରିଟେନ, ଜର୍ମାନି, ଫ୍ରାନ୍ସ, ଋଷ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଭଳି ୨୧ଟି ଦେଶର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଭାରତ ସରକାରଙ୍କ ଫାର୍ମାକୋପିଆ କମିସନ୍‌ର ପ୍ରତିନିଧିମାନେ ଯୋଗଦେଇ ନିଜର ମତ ଉପସ୍ଥାପନ କରିଥିଲେ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଫୋରମ୍‌ର ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥି‌ଲେ। ଗୋଆର ରାଜ୍ୟପାଳ ଉଦ୍‌ଯାପନୀ ଉତ୍ସବରେ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ବତନ୍ତ୍ର ରୂପେ ଆମନ୍ତ୍ରିତ ଓଡ଼ିଶାରୁ ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ‘ନୂତନ ଔଷଧ ପ୍ରଚଳନର ମାନ ନିର୍ଧାରଣ’ ସମ୍ପର୍କିତ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର