ଚିକିତ୍ସାରେ ବିଜ୍ଞାନ, ବୈଷୟିକ ଜ୍ଞାନ ଯଥେଷ୍ଟ ବିନିଯୋଗ ହେଉ

ବିଶ୍ବ କିଡ୍‌ନି ଦିବସ

ଭୁବନେଶ୍ବର : ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳରେ ଆମେ ଅଗ୍ରଗତି କରୁଛେ। ଅଥଚ ସ୍ବାସ୍ଥ୍ୟଜନିତ ସମସ୍ୟା ନିୟନ୍ତ୍ରିତ ହୋଇପାରୁନାହିଁ। ବହୁ ବ୍ୟକ୍ତିବିଶେଷ ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ର ଶିକାର ହେଉଥିବାରୁ ଏହା ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଉଛି। ତେଣୁ ଏ କ୍ଷେତ୍ରରେ ଗଭୀର ଅନୁଧ୍ୟାନ ପୂର୍ବକ ନିୟନ୍ତ୍ରଣର ବାଟ ବାହାର କରିବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। କିମ୍‌ସ, କିଟ୍‌ ଏବଂ ଇଣ୍ଡିଆନ୍‌ ଏକାଡେମି ଅଫ୍ ନେଫ୍ରୋଲୋଜି ପକ୍ଷରୁ କିମ୍‌ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ବ କିଡ୍‌ନି ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ସମସ୍ତଙ୍କ ପାଇଁ ଚିକିତ୍ସା ସେବା କଥା କୁହାଯାଉଛି। ଅଥଚ ଏହା ଏତେ ମହଙ୍ଗା ହେଲାଣି ଯେ ସମସ୍ତେ ଏହାର ସୁ‌ଯୋଗ ନେଇ ପାରୁନାହାନ୍ତି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଆମ ପାଇଁ ସୁ‌ଯୋଗ ସୃଷ୍ଟି କରିଥିବାରୁ ଚିକିତ୍ସା ସେବା କ୍ଷେତ୍ରରେ ଏହାକୁ ଅଧିକରୁ ଅଧିକ ବିନିଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଫେସର୍‌ ଏସ୍‌.ସି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମସ୍ତଙ୍କ ପାଇଁ ସବୁଠାରେ କିଡ୍‌ନି ଆରୋଗ୍ୟ ବ୍ୟବସ୍ଥା’ ସମ୍ବନ୍ଧରେ ଅତିଥିମାନେ ଆଲୋକପାତ କରିଥିଲେ। କିଟ୍‌ର ପ୍ରୋ-ଚାନ୍‌ସେଲର ପଦ୍ମଶ୍ରୀ ପ୍ରଫେସର୍‌ ସୁବ୍ରତ ଆଚାର୍ଯ୍ୟ କହିଲେ, ସାଂପ୍ରତିକ ଜୀବନଶୈଳୀ ସ୍ବାସ୍ଥ୍ୟ ଜନିତ ସମସ୍ୟାର ପ୍ରମୁଖ କାରଣ ପାଲଟିଛି। ତେଣୁ ବ୍ୟାପକ ସଚେତନତା ଜରିଆରେ ଲୋକଙ୍କୁ ଯୋଡ଼ିବା ଦ୍ବାରା ହିଁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣକୁ ଆସି ପାରିବ ବୋଲି ସେ କହିଥିଲେ। କିଟ୍‌ର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି କହିଲେ, କିଡ୍‌ନି ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନିୟନ୍ତ୍ରଣର ରାସ୍ତା ବାହାର କରିବା ପାଇଁ ଉଚ୍ଚତର ଗବେଷଣା ଉପରେ ସେ ଗୁରୁତ୍ବା‌ରୋପ କରିଥିଲେ। କିଡ୍‌ନି ରୋଗ ବିଶେଷଜ୍ଞ ପ୍ରଫେସର ଏସ୍‌.ସି ଦାଶ ପ୍ରାରମ୍ଭରେ ଅତିଥି ପରିଚୟ ଦେବା ସହ କହିଲେ, କଟକ ଜିଲ୍ଲା ନରସିଂହପୁର, ଆଠଗଡ଼, ବଡ଼ମ୍ବା, ଯାଜପୁର ଓ ଅନୁଗୁଳରେ ଅଜଣା କାରଣରୁ କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏ ଅଞ୍ଚଳରେ ଦୂଷିତ ପାଣି ଯୋଗୁଁ କିଡ୍‌ନି ରୋଗ ବ୍ୟାପୁଥିବା ସର୍ବେକ୍ଷଣରୁ ଜଣାଯାଇଛି। ନରସିଂହପୁର ଓ ବଡ଼ମ୍ବା ଆଦି ଅଞ୍ଚଳରେ ପାନୀୟ ଜଳରେ କାଡମିୟମ ଭଳି ମେଟାଲ୍‌ ରହୁଥିବାରୁ ଏହା କିଡ୍‌ନି ରୋଗର କାରଣ ହେଉଛି ବୋଲି ସେ କହିଥିଲେ। ପ୍ରାଥମିକ ଅବସ୍ଥାରୁ ଚିକିତ୍ସା କରାଗଲେ ଏହାକୁ ପ୍ରତିରୋଧ କରାଯାଇପାରିବ ବୋଲି ଡ. ଦାଶ କହିଛନ୍ତି। କିମ୍‌ସର ଅଧ୍ୟକ୍ଷ ମେଜର ଜେନେ‌ରାଲ୍‌ ଡ. ପି.କେ ପଟ୍ଟନାୟକ ଏବଂ ‘ଇଣ୍ଡିଆନ୍‌ ଏକାଡେମି ଅଫ୍‌ ନେଫ୍ରୋଲୋଜି’ର ସମ୍ପାଦକ ଡ.ଏସ୍‌.କେ ଅଗ୍ରୱାଲ୍‌ ବକ୍ତବ୍ୟ ରଖିଥିଲେ।

ପରେ ଆୟୋଜିତ ଆଲୋଚନାଚକ୍ରରେ ଡ. ଏ.ସି ମହାକୁଡ଼, ଡ. ବି.ଏନ୍‌ ପଣ୍ଡା, ଡ. ପି.କେ ସାହୁ, ଡ. ରାଜେଶ ପାଢ଼ୀ, ଡ. ଆର୍‌.ଏନ୍‌ ସାହୁ, ଡ. କେ.‌ସି ମହନ୍ତ, ଡ. ସୋନାଲି କର, ଡ. ସୁକାନ୍ତ କିଶୋର ଦାସ, ଡ. ସରୋଜ କୁମାର ପଣ୍ଡା, ଡ. ବିବେକାନନ୍ଦ ପଣ୍ଡା, ଡ. ଏସ୍‌.କେ ପାଲିତ୍‌, ଡ. ସୁବୋଧ ଦାସଙ୍କ ଅଧ୍ୟକ୍ଷତାରେ କିଡ୍‌ନି ରୋଗର ଚିକିତ୍ସା ଏବଂ କିଡ୍‌ନି ପ୍ରତିରୋପଣ ବାବଦରେ ଆଲୋଚକମାନେ ମତ ରଖିଥିଲେ।

ସମ୍ବନ୍ଧିତ ଖବର