ପ୍ରକୃତି କୋଳରେ ଭଞ୍ଜନଗର ସହର, ବଢ଼ୁଛି ପର୍ଯ୍ୟଟକ ସଂଖ୍ୟା

ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ଘୁମୁସର ମାଟିର ଐତିହାସିକ ଭଞ୍ଜନଗର ସହର ସମଗ୍ର ଦକ୍ଷିଣ ଓଡିଶାରେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ନଦୀ, ଜଙ୍ଗଲ ଓ ପାହାଡ ଘେରା ପ୍ରାକୃତିକ ‌ସୌନ୍ଦର୍ଯ୍ୟର ଏହି ସହରକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପ୍ରକୃତିର ଅପୂର୍ବ ଶୋଭାରାଜି ସାଙ୍ଗକୁ ଭଞ୍ଜନଗରରେ ରହିଛି ଅନେକ ଦେବାଦେବୀଙ୍କ ମନ୍ଦିର। ଐତିହାସିକ ଚକାରାଘାଟି ଏହି ମାଟିର ବୀରତ୍ବଗାଥାର ମୁକସାକ୍ଷୀ। ବେଲେଶ୍ବର ପାହାଡ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏହାକୁ ଅଧିକ ଆକର୍ଷିତ କରିଛି। ସେହିପରି ଗାନ୍ଧୀ କୈଳାଶ ପାହାଡ ଓ ‌ର‌ସଲକୋଣ୍ଡା ଘାଇର ସବୁଜିମା ପର୍ଯ୍ୟଟକଙ୍କୁ ବିମୁଗ୍ଧ କରିଥାଏ। ତଥାପି ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ସହ ଭିତ୍ତିଭୂମି ବିକାଶ ଦିଗରେ ପ‌ଦେକ୍ଷପ ନିଆଯିବା ଦରକାର ବୋଲି ମତପ୍ରକାଶ ପାଇଛି।

 

ବ୍ୟାଘ୍ରଦେବୀ ପୀଠ: ଭଞ୍ଜନଗର ସହର ଠାରୁ ଦଶପଲ୍ଲା ଯିବା ରାସ୍ତାରେ ୮ କିଲୋମିଟର ଦୂରରେ ପଡେ କୁଲାଡ। କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜନ୍ମମାଟି, ତନ୍ତ୍ର ସଧାନା ପୀଠ ଓ ଭଞ୍ଜ ରାଜାଙ୍କ ସାଧାନାସ୍ଥଳ। ଘୁମୁସର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଉପର ବ୍ୟାଘ୍ର ଦେବୀ ଓ ତଳ ବ୍ୟାଘ୍ର ଦେବୀଙ୍କ ପୀଠ ସମଗ୍ର ଦକ୍ଷିଣ ଓଡିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମାରେ ଭରପୁର ପାହାଡ ଉପରେ ଥିବା ଏକ ଗୁମ୍ପାରେ ଦେବୀ ବିରାଜମାନ କରିଛନ୍ତି। ଯିବା ପାଇଁ ୨୭୪ଟି ଅଣଓସାରିଆ ପାହାଚ ଅତିକ୍ରମ କରିବାକୁ ପଡିଥାଏ। ଏଠାରେ ଗଣେଷ ଓ ସରସ୍ବତୀଙ୍କ ମୂର୍ତ୍ତି ସାଙ୍ଗକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଦୋଳପୂର୍ଣ୍ଣିମା, ଅ‌ଶୋକାଷ୍ଟମୀ, ସଂକ୍ରାନ୍ତି ଓ ପୂର୍ଣ୍ଣିମୀରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ।

ବନ ବିହାର, କାଳିଆମ୍ବା ବୃକ୍ଷ ଘର: କୋଳାହଳ  ପରିବେଶ ଠାରୁ ଦୂରେଇ ଶାନ୍ତିରେ ସମୟ ଅତିବାହିତ ପାଇଁ ଜଙ୍ଗଲ ଟୁରିଜିମ ଯୋଜନା‌ରେ ନୂଆଁ ଡେଷ୍ଟିସେନ୍ ବନ ବିହାର, କାଳିଆମ୍ବା ବୃକ୍ଷ ଘର, ଡାକବଙ୍ଗଳା ଓ ଶାଳୁଆପଲ୍ଲୀ ଡାକବଙ୍ଗଳା ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକର୍ଷିତ କରିଥାଏ। ଯାହାକୁ ପ୍ରକୃତି ଶିବିର ବୋଲି ନାମିତ କରାଯାଇଛି। ଟ୍ରି ହାଉସ, କାଠ ଘର, ତମ୍ବୁ ଘର, ଫାଉଣ୍ଟେନ, ଔଷଧୀୟ ଉଦ୍ୟାନ, ୱାଟର ଜେଟି, ଅମ୍ବ୍ରେଲା ହାଉସ ଏହାର ବିଶେଷତ୍ବ। କାଳିଆମ୍ବାର ଉଡନ୍ତା ମୂଷା ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆସିବା ସହ ଗଛ ଉପରେ ଥିବା ଏକ ଶୀତତାପ ନିୟନ୍ତ୍ରିତ କାଠ ଘରେ ମଜା ନିଅନ୍ତି।

ବେଲେଶ୍ବର ପୀଠ: ରସ‌ଲକୋଣ୍ଡା ଜଳଭଣ୍ଡାରକୁ ଲାଗିଥିବା ବେଲେଶ୍ବର ପାହାଡରେ ରହିଛି ୬୧ ଫୁଟ ଉଚ୍ଚତାର ଶିବଙ୍କ ପ୍ରତିମୂର୍ତ୍ତି। ଯାହାକି ପୃଥିବୀର ନବମ ଓ ଦେଶର ଷଷ୍ଠ ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି ଭାବେ ପରିଚିତ। ଏହି ମୂର୍ତ୍ତି ଉପରେ ସନ୍ଧ୍ୟାରେ ଅନୁଷ୍ଠିତ ଲେଜର ଲାଇଟ ସୋ ଆକର୍ଷଣର ପ୍ରମୁଖ କେନ୍ଦ୍ର ବିନ୍ଦୁ। ବେଲେଶ୍ବର ପୀଠରେ ସ୍ପଟିକରେ ନିର୍ମିତ ଶିବ ଲିଙ୍ଗ ସହ ବେଲେଶ୍ବର ମନ୍ଦିର ସମେତ ଚନ୍ଦ୍ରଶେଖର, ତ୍ରୟମ୍ବକେଶ୍ବର, ରାମେଶ୍ବର, ବିଶେଶ୍ବର, ପାର୍ବତୀ, କାର୍ତ୍ତିକ ଓ ଗଣେଷ ମନ୍ଦିର ରହିଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ସୁଉଚ୍ଚ ବିଜୁ ମୀନାର ରହିଛି। ଯେଉଥିରେ ପ୍ରକୃତି ସମେତ ସାରା ସହରର ମ‌ନୋରମ ଦୃଶ୍ୟକୁ ଉପଭୋଗ କରିହୁଏ।

ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ: ପର୍ଯ୍ୟଟନର ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ବିଜୁ ପଟ୍ଟନାୟ ଶିଶୁ ଉଦ୍ୟାନ। ରାଜ୍ୟର ପ୍ରମୁଖ ଶିଶୁ ଉଦ୍ୟାନ ମଧ୍ୟରୁ ଏହା ଗୋଟିଏ । ପ୍ରାୟ ଦୀର୍ଘ ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲ ଫାଉଣ୍ଟେନ, ଆକ୍ବାରିଅମ, ବୋଟିଂ, ଫ୍ୟାମିଲ ଟ୍ରେନ, ଟଏ ଟ୍ରେନ, ବଟାନିକାଲ ଗାର୍ଡେନ, ଟ୍ରି ହାଉସ, ଭିଡିଓ ଗେମ ହାଉସ, ଗୋଲାପ ବଗିଚା, ଭଞ୍ଜଦୋଳି, କଳିଙ୍ଗ ବୋଇତ, କାର ରେସିଂ, ଆର୍ଚ ବ୍ରିଜ ଓ ବିଜ୍ଞାନ ଉଦ୍ୟାନ ରହିଛି।

ସମ୍ବନ୍ଧିତ ଖବର