ଆଜି ବିଶ୍ୱ ଯକ୍ଷ୍ମା ଦିବସ : ପ୍ରତିବର୍ଷ ଯକ୍ଷ୍ମା ନେଉଛି ୧୦ ଲକ୍ଷ ଜୀବନ

ଭୁବନେଶ୍ୱର : ମାର୍ଚ ୨୪ତାରିଖକୁ ପ୍ରତିବର୍ଷ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି ‘ଆବଶ୍ୟକ : ଯକ୍ଷ୍ମା ମୁକ୍ତ ବିଶ୍ୱ ପାଇଁ ନେତୃତ୍ୱ’। ଯକ୍ଷ୍ମାର ଭୟବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୮୬ଲକ୍ଷ ଲୋକ ଯକ୍ଷ୍ମାରେ ଆକ୍ରାନ୍ତ ହେଉଥିବା ବେଳେ ଏଥିରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି। ବିଶେଷକରି ତୃତୀୟ ବିଶ୍ୱ ଭାବେ ପରିଗଣିତ ଦେଶଗୁଡ଼ିକର ଲୋକମାନେ ଯକ୍ଷ୍ମା ଦ୍ୱାରା ସର୍ବାଧିକ ଆକ୍ରାନ୍ତ ହୋଇଥାନ୍ତି।

ଭାରତ ମଧ୍ୟ ଯକ୍ଷ୍ମା ରୋଗରେ ସର୍ବାଧିକ ଜର୍ଜରିତ ହେଉଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ୨୦୧୫ ମସିହାରେ ୨.୫ ମିଲିଅନ୍‌ ଲୋକ ଯକ୍ଷ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ମଧ୍ୟ ଯକ୍ଷ୍ମା ଏକ ମାରାତ୍ମକ ରୋଗ ଭାବେ ଉଭା ହୋଇଛି। ପ୍ରତିବର୍ଷ ୪୫/୪୬ ହଜାର ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିବା ବେଳେ ଏଥିରୁ ୪/୫ ପ୍ରତିଶତ ଯକ୍ଷ୍ମା ରୋଗୀ ପ୍ରାଣ ହରାଉଛନ୍ତି। ୨୦୧୫ ମସିହାରେ ୪୫ହଜାର, ୨୦୧୬ରେ ୪୬ହଜାର ଓ ୨୦୧୭ରେ ୪୫ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ଯକ୍ଷ୍ମା ସେଲ୍‌ରୁ ସୂଚନା ମିଳିଛି। ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ଯକ୍ଷ୍ମା ରୋଗୀ ରହିଛନ୍ତି। ଏହାସହ ସୁନ୍ଦରଗଡ଼, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଧିକ ସଂଖ୍ୟାରେ ଯକ୍ଷ୍ମା ରୋଗୀ ରହିଛନ୍ତି। ବିଳମ୍ବରେ ରୋଗ ଚିହ୍ନଟ ଯୋଗୁଁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଏହି ଜିଲ୍ଲାରେ ବଢ଼ିବାରେ ଲାଗିଛି।

୧୯୯୭ ମସିହାରେ ପରିବର୍ତ୍ତିତ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଆରଏନ୍‌ଟିସିପି ଆରମ୍ଭ ହେବା ପରେ ରାଜ୍ୟରେ ୫୦ହଜାର ୨୦୪ଟି ଡଟ୍‌ ସେଣ୍ଟର କାର୍ଯ୍ୟ କରୁଛି। ତେବେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତି ଏଚ୍‌ଆଇଭି ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବାରୁ ଓସାକ୍ସ ସହାୟତାରେ ୨୦୧୦ ମସିହାରୁ ଉଭୟ ରୋଗରେ ସଂକ୍ରମିତ ରୋଗୀଙ୍କ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୫ହଜାର ୫ଶହ ଉଭୟ ଯକ୍ଷ୍ମା-ଏଚ୍‌ଆଇଭିରେ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ନୂତନ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୯୮ପ୍ରତିଶତ ରୋଗୀଙ୍କ ଏଚ୍‌ଆଇଭି ପରୀକ୍ଷଣ ମଧ୍ୟ କରାଯାଉଥିବା ଯକ୍ଷ୍ମା ସେଲ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଔଷଧ ପ୍ରତିରୋଧକ ଯକ୍ଷ୍ମା ବା ଏମ୍‌ଡିଆର-ଟିବିକୁ ନେଇକୁ ମଧ୍ୟ ବହୁ ସମସ୍ୟା ରହିଛି। ବିଶ୍ୱରେ ଭାରତ ୫ମ ସର୍ବାଧିକ ଯକ୍ଷ୍ମାରେ ଆକ୍ରନ୍ତ ଦେଶ ହୋଇଥିବା ଔଷଧ ପ୍ରତିରୋଧକ ଯକ୍ଷ୍ମା ବା ଏମ୍‌ଡିଆର-ଟିବି ସଂଧ୍ୟା ସର୍ବାଧିକ। ଦେଶରେ ପ୍ରତିବର୍ଷ ୬୬ହଜାର ଲୋକ ଏହାର ଶିକାର ହେଉଥିବା ଜଣାପଡ଼ିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାଟ୍ରିଜ୍‌ ବେସ୍‌ଡ ନ୍ୟୁକ୍ଲିକ୍‌ ଏସିଡ୍‌ ଆମ୍ପ୍ଲିଫିକେସନ୍‌ ଟେଷ୍ଟ ବା ସିବିଏନ୍‌ଏଏଟ୍‌ ପରୀକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏବେ ୨୫ଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି।

ରାଜ୍ୟରେ ଯକ୍ଷ୍ମା ରୋଗୀର ତଦାରଖ କରିବା ପାଇଁ ଅନଲାଇନ୍‌ ସୂଚନା ‘ନିକ୍ଷୟ’ ଆରମ୍ଭ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ ବା ଆଇଏମ୍‌ଏ ସହାୟତାରେ ୨୦୧୪ ମସିହାରୁ ରାଜ୍ୟରେ ଏହା ଆରମ୍ଭ ହୋଇଛି। ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିହ୍ନଟ ହେଉଥିବା ରୋଗୀଙ୍କ ତଥ୍ୟ ଏଥିରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର