ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ : ବିଶୁଦ୍ଧ ଦୁଗ୍ଧ ଯୋଗାଣ ଶୁଭାରମ୍ଭ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଏହି ଅବସରରେ ଆଜି ଜୟଦେବ ଭବନରେ ଆୟୋଜିତ ଏକ କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଜୀବିକା, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷାର ଉନ୍ନତିରେ ପ୍ରାଣୀ ସଂପଦର ଭୂମିକା ଶୀର୍ଷକ ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହ ରାଜ୍ୟ ଖାଉଟିମାନଙ୍କ ପାଇଁ ଓମ୍‌ଫେଡ଼୍‍ ଆରମ୍ଭ କରିଥିବା ଭିଟାମିନ୍‌ ‘ଏ’ ଓ ‘ଡି’ ଯୁକ୍ତ ଉନ୍ନତମାନର ଦୁଗ୍ଧ ଉତ୍ପାଦନକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହା ସହ ବାରଙ୍ଗ ତହସିଲ ଅଧୀନ ଅରିଲୋ ଓ ଗୋବିନ୍ଦପୁର ଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଓମ୍‌ଫେଡ଼୍‍ ଓ ଜାତୀୟ ଦୁଗ୍ଧ ବିକାଶ ପରିଷଦ (ଏନ୍‌ଡିଡିବି) ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୨୪୪ କୋଟି ୭୪ ଲକ୍ଷ ଓ ୫୧ ଏକର ଜାଗା ଯୋଗାଇ ଦେଇଛନ୍ତି। ପୂର୍ବରୁ ଓମ୍‌ଫେଡ଼୍‍ ୬.୪ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିପାରୁଥିବା ବେଳେ ଏହି ପ୍ଲାଣ୍ଟ ଜରିଆରେ ୧୨ ଲକ୍ଷ ଲିଟର ପ୍ରକ୍ରିୟାକରଣ ହୋଇ ପାରିବ ଏବଂ ୪ ଲକ୍ଷ ଦୁଗ୍ଧ ଚାଷୀ ଲାଭବାନ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାରୁ ୮୭ ଜଣ ପ୍ରାଣୀଧନ ନିରୀକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ୬୦୧ ଜଣ ନିରୀକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ମୋଟ ୬୮୮ ଜଣଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ୨୨୪ ଜଣ ସହକାରୀ ପ୍ରାଣୀଧନ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ବେଳେ ଖୁବ୍‌ଶୀଘ୍ର କୁଶଳୀ ଓ ଅଣକୁଶଳୀ କ୍ଷେତ୍ରରେ ୧୭୦୦ କର୍ମଚାରୀଙ୍କୁ ନିଯୁକ୍ତି ମିଳିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ସରକାରଙ୍କର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବତାରଣା କରାଇଥିବା ବେଳେ ବିଭାଗୀୟ ସଚିବ ତଥା ଆୟୁକ୍ତ ବିଶାଳ ଗଗନ ରାଜ୍ୟର ୫୪୧ ପ୍ରାଣୀଧନ ହସ୍‌ପିଟାଲ ୨୨୩୯ ଲାଇଭ୍‌ଷ୍ଟକ୍‌ କେନ୍ଦ୍ର ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କୃଷି ଉତ୍ପାଦନ ଆୟୁକ୍ତ ଗଗନ ଧଳ ଓ ଓମଫେଡ୍‍ ଅଧ୍ୟକ୍ଷା ସରୋଜିନୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଯୁଗ୍ମ ନିର୍ଦେଶକ ଡା. ବାସୁଦେବ ସୁନାନି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜ୍ୟ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦେଶାଳୟ ଆୟୁକ୍ତ ତଥା ନିର୍ଦେଶକ ମହେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହା ପରେ ଜୀବିକା, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷାର ଉନ୍ନତିରେ ପ୍ରାଣୀ ସଂପଦର ଭୂମିକା ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ଅତିରିକ୍ତ ସଚିବ ବିଶ୍ୱ ମୋହନ ରାୟ, ଯୁଗ୍ମ ସଚିବ ରଘୁନନ୍ଦନ ମିଶ୍ର, ମତ୍ସ୍ୟ ନିର୍ଦେଶକ ପ୍ରଶାନ୍ତ ସେନାପତି ମୁଖ୍ୟ କାର୍ଯ୍ୟନିର୍ବାହୀ ଡା. ଗିରିଶ ଚନ୍ଦ୍ର କର ପ୍ରମୁଖଙ୍କ ସମେତ ରାଜ୍ୟର ୩୦ ଜିଲ୍ଲାରୁ ଜିଳ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ବିଭାଗୀୟ ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, ଅଗ୍ରଣୀ ଚାଷୀ, ଓମ୍‌ଫେଡ଼୍‍ ଅଧିକାରୀ କର୍ମକର୍ତାଙ୍କ ସମେତ ବିଭିନ୍ନ ସମିତିର ସମ୍ପାଦକ/ସମ୍ପାଦିକା ସଭାପତି, ପ୍ରାଣୀଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରାଧ୍ୟାପକମାନେ ଯୋଗଦେଇ ଏହି ପ୍ରସଙ୍ଗରେ ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର