ପାଠ୍ୟଖସଡ଼ାରେ ଯୋଗକୁ ସାମିଲ କରାଯାଉ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଯୋଗକୁ ଏକ ପ୍ରମୁଖ ବିଷୟ ଭାବେ ପାଠ୍ୟଖସଡ଼ାରେ ସାମିଲ କରାଯାଉ। ଯୋଗ ବିଜ୍ଞାନରେ ତାଲିମପ୍ରାପ୍ତ ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ। ଓଡ଼ିଶା ଯୋଗ ସଂଘର ପ୍ରଥମ ଉପଦେଷ୍ଟା ମଣ୍ଡଳୀ ବୈଠକରେ ଏପରି ମତପ୍ରକାଶ ପାଇଛି। ୟୁନିଟ୍‌-୮ କମ୍ୟୁନିଟି ସେଣ୍ଟର୍‌ ପରିସରରେ ରବିବାର ଅନୁଷ୍ଠିତ ବୈଠକରେ ଡ. ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଏବେ କ୍ରୀଡ଼ା ଶିକ୍ଷକଙ୍କ ହାତରେ ଯୋଗକୁ ସମର୍ପିତ କରାଯାଇଛି। ସେମାନେ ଛାତ୍ରଛାତ୍ରୀଙ୍କୁ ଯୋଗ ପଢ଼ାଉଛନ୍ତି। ଯଦି ଶିକ୍ଷାନୁଷ୍ଠାନରେ ଯୋଗ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ତେବେ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୋଇପାରିବ। ଯୁକ୍ତ୨ ପାଠ୍ୟକ୍ରମରେ ଥିବା ଯୋଗ ବିଷୟକୁ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମିର ଚେୟାରମ୍ୟାନ୍‌ ପି.କେ ପ୍ରଧାନ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ସୁବାସ ଚନ୍ଦ୍ର ଦାସ, ଯୋଗ ବିଶାରଦ କବି ପ୍ରସାଦ ମହାପାତ୍ର, ଶାନ୍ତମତି ଦାସ, ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ଡ. ବି ପି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରାଥମିକ ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲିମପ୍ରାପ୍ତ ଯୋଗ ଥେରାପିଷ୍ଟଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ମତ ଦେଇଥିଲେ। ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓ୍ଵଲ୍‌ନେସ ସେଣ୍ଟର୍‌ ଖୋଲି ଯୋଗ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଥିବା ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେବା, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଯୋଗ ଶିକ୍ଷା ପ୍ରଦାନ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ନବକିଶୋର ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର