ଘୋଷଣାରେ ରହିଗଲା ପାର୍କରେ ଯୋଗ ଶିକ୍ଷା

ଭୁବନେଶ୍ୱର : ଲୋକଙ୍କ ମଧ୍ୟରେ ଯୋଗକୁ ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟ ପକ୍ଷରୁ ପାର୍କରେ ସକାଳୁଆ ଯୋଗ ଶିକ୍ଷା ପାଇଁ ଘୋଷଣା ହୋଇଥିଲା। କେବଳ ରାଜଧାନୀର ପାର୍କରେ ଏହାକୁ ସୀମିତ ନ ରଖି ରାଜ୍ୟର ଅନ୍ୟ ସ୍ଥାନକୁ ମଧ୍ୟ ନେବା ପାଇଁ ନିଷ୍ପତ୍ତି ହୋଇଥିଲା।

ଏହାଭିତରେ ୩ବର୍ଷ ବିତିଗଲାଣି। ବିଭିନ୍ନ ଘରୋଇ ସଂସ୍ଥା ପକ୍ଷରୁ ପାର୍କଗୁଡ଼ିକରେ ଯୋଗଶିକ୍ଷା ଦିଆଯାଉଛି। ମାତ୍ର ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶାଳୟ ଏ ପର୍ଯ୍ୟନ୍ତ ପାର୍କରେ ଯୋଗଶିକ୍ଷା ଦେଇପାରିଲା ନାହିଁ। ଯୋଗ ଇନ୍‌ଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ମିଳୁ ନ ଥିବାର ବାହାନା ଦର୍ଶାଇ ନିର୍ଦେଶାଳୟ ସମୟ ଗଡ଼ାଇବାରେ ଲାଗିଛି।

ପାର୍କରେ ଯୋଗ ଓ େଓ୍ଵଲନେସ୍‌ ସେଣ୍ଟର ପାଇଁ ରାଜଧାନୀର ୬ଟି ପାର୍କକୁ ଚୟନ କରାଯାଇଛି। ଏଥିରେ ରହିଛି ବୁଦ୍ଧ ପାର୍କ, ଇନ୍ଦିରାଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସହିଦ ନଗର ପାର୍କ ଓ ରାଜଭବନସ୍ଥିତ ପାର୍କ। ଆଉଟସୋର୍ସିଂ ଜରିଆରେ ଏଥିପାଇଁ ଇନ୍‌ଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ନିଯୁକ୍ତି କରିବାକୁ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର କରାଯାଇଥିଲା। ମାତ୍ର ଏଥିପାଇଁ ଯେଉଁ ମାନଦଣ୍ଡ ରହିଥିଲା ତହିଁରେ କେହି ଏଥିପାଇଁ ଆବେଦନ କରି ନ ଥିଲେ। ପରବର୍ତୀ ସମୟରେ ଏହି ମାନଦଣ୍ଡରେ କୋହଳ କରାଯାଇଥିଲେ ହେଁ, ଏଥିରେ ମଧ୍ୟ କୌଣସି ସୁଫଳ ହୋଇ ନ ଥିଲା। ଅପରପକ୍ଷରେ ରାଜ୍ୟରେ ଯୋଗଶିକ୍ଷା ନେଇ ଉପଯୁକ୍ତ ପାଠ୍ୟକ୍ରମ ନ ଥିବା ଯୋଗୁଁ ଯେଉଁ ଛାତ୍ରଛାତ୍ରୀମାନେ ଏଥିରୁ ଶିକ୍ଷା ଗ୍ରହଣ କରୁଛନ୍ତି ତାହାକୁ ନେଇ ବିବାଦ ଦେଖାଦେଉଛି। ୨ବର୍ଷ ତଳେ ଏଭଳି ଏକ ଯୋଗ ଶିକ୍ଷାନୁଷ୍ଠାନରୁ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ନେଇ ବିବାଦ ଦେଖା ଦେଇଥିଲା।

ଅପରପକ୍ଷରେ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ମଧ୍ୟ ଯୋଗର ଏକ ସାଟେଲାଇଟ୍‌ ସେଣ୍ଟର ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜଧାନୀରେ ଥିବା ଏହି ଚିକିତ୍ସାଳୟକୁ ଆସି ଏହାର ସ୍ଥିତି ପରଖି ଥିଲେ। ଯୋଗ ଶିକ୍ଷା ପାଇଁ ହସ୍ପିଟାଲରେ ଆୟୁରି ୨ଟି ରୁମ୍‌ ଯୋଗାଇ ଦେବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ। ତେବେ ଏହି ସେଣ୍ଟର ପ୍ରତିଷ୍ଠାନ ନେଇ କୌଣସି ଅଗ୍ରଗତି ନ ହେବାରୁ ତାହା ଏକପ୍ରକାର ବନ୍ଦ ହୋଇଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପରବର୍ତୀ ସମୟରେ କୌଣସି ପ୍ରକାର ଯୋଗାଯୋଗ କରାଯାଇନାହିଁ।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାର୍କରେ ଯୋଗଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲେ ହେଁ, ତାହା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ରାଜ୍ୟରେ ଯୋଗ ଉପରେ ନିର୍ଦ୍ଦିଷ୍ଟଭାବେ କୌଣସି ପାଠ୍ୟକ୍ରମ ନାହିଁ। ତେଣୁ ଯେଉଁ ଛାତ୍ରଛାତ୍ରୀ ଯୋଗଶିକ୍ଷାରେ ଉତୀର୍ଣ୍ଣ ହୋଇଥିବା ସାର୍ଟିଫିକେଟ୍‌ ଆଣୁଛନ୍ତି ତାହାକୁ ନେଇ ସନ୍ଦେହ ଉପୁଜୁଛି। ଏସବୁ କାରଣରୁ ଯୋଗ ଇନଷ୍ଟ୍ରକ୍ଟର ଓ ଡେମୋନଷ୍ଟ୍ରେଟର ନିଯୁକ୍ତ ହୋଇପାରୁ ନାହାନ୍ତି। ଯାହାକୁ ନେଇ ପାର୍କରେ ଯୋଗଶିକ୍ଷା ସମ୍ଭବ ହୋଇପାରୁ ନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର