ରେଭେନ୍ସାରେ ଖୋଲିବ ‘ଯୋଗ’ ପିଜି

କଟକ : ରାଜ୍ୟରେ ପ୍ରଥମ ଥର ଯୋଗ’ରେ ସ୍ନାତକୋତ୍ତର (ପିଜି) କରିବାର ସୁଯୋଗ ମିଳିବ ଛାତ୍ରଛାତ୍ରୀଙ୍କୁ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷା ବର୍ଷରୁ ଏଭଳି ସୁଯୋଗ ସୃଷ୍ଟି କରିବାକୁ ଯାଉଛି। ଯୋଗରେ ପିଜି ସମେତ ଏକାଧିକ ପାଠ୍ୟକ୍ରମ ଖୋଲିବାକୁ ବିଶ୍ୱବିଦ୍ୟାଳୟର ଯୋଜନା ରହିଛି। ଏହି ନୂଆ ପାଠ୍ୟକ୍ରମ ନିଯୁକ୍ତି ପ୍ରଦାନ କରିବାରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ୨୦୧୮-୧୯ରେ ନୂତନ ଭାବେ ସ୍ନାତକୋତ୍ତରରେ ଯୋଗ, ବିଜିନେସ୍‌ ଇକୋନୋମିକ୍ସି, ବାୟୋ କେମେଷ୍ଟ୍ରି, ଫାଇନାନ୍ସ ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମ ଖୋଲାଯିବ। ସେହିପରି ଜୁଲୋଜିରେ ଡିପ୍ଲୋମା କୋର୍ସ, ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକ ପାଠ୍ୟକ୍ରମ ଖୋଲିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରେ ବିଶ୍ୱବିଦ୍ୟଳୟ ଏକାଡେମିକ୍‌ କାଉନସିଲ୍‌ ବୈଠକରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ସମସ୍ତ ପାଠ୍ୟକ୍ରମକୁ ସେଲ୍ଫ ଫାଇନାନ୍ସ ଭିତ୍ତିରେ ପ୍ରଚଳନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରେଭେନ୍ସାରେ ନୂତନ ଭାବେ ସ୍ନାତକୋତ୍ତର ଯୋଗର ୨ ବର୍ଷିଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ୪୦ ଜଣ ଛାତ୍ରଛାତ୍ରୀ ପଢି ପାରିବେ। ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଅଧୀନରେ ଉକ୍ତ ପାଠ୍ୟକ୍ରମ ଖୋଲିବ। ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଛାତ୍ରଛାତ୍ରୀଙ୍କୁ କୌଣସି ବିଷୟରେ ସ୍ନାତକ ପାସ୍‌ କରିବା ଜରୁରି। ତେବେ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଯୋଗରେ ପିଏଚ୍‌ଡି କରିଥିବା ଅଧ୍ୟାପକ, ଡାକ୍ତର, ଇନ୍‌ଷ୍ଟ୍ରକ୍ଟର ପ୍ରମୁଖଙ୍କ ସହଯୋଗ ନିଆଯିବ। ସଂସ୍କୃତ ବିଭାଗରେ ଛାତ୍ରଛାତ୍ରୀ ଥିଓରି କରିବା ବେଳେ ପ୍ରାକ୍ଟିକାଲ୍‌ ପାଇଁ ବିଶ୍ୱବିଦ୍ୟାଳୟ ଜିମ୍ନାସିୟମ୍‌ ସେଣ୍ଟର ଉପରେ ନୂତନ ଭାବେ ତିଆରି ହୋଇଥିବା ଯୋଗ କେନ୍ଦ୍ରରେ ପ୍ରଶିକ୍ଷଣ ନେବେ। ଏଥିପାଇଁ ୟୁଜିସି ଓ ବିଶ୍ୱବିଦ୍ୟାଳୟ ସହଯୋଗରେ ଦେଢ କୋଟି ଟଙ୍କାରେ ନୂତନ ଜିମ୍ନାସିୟମ୍‌ ସେଣ୍ଟର ଓ ଯୋଗ କେନ୍ଦ୍ର ନିର୍ମାଣ ହୋଇଛି। ଆସନ୍ତା ବର୍ଷ ସ୍ନାତକୋତ୍ତରରେ ୪୦ ସିଟ୍‌ର ଅର୍ଥନୀତି ବିଭାଗ ଅଧୀନରେ ‘ବିଜ୍‌ନେସ୍‌ ଇକୋନୋମିକ୍ସି’, ୨୪ ସିଟ୍‌ ବିଶିଷ୍ଟ କେମେଷ୍ଟ୍ରି ବିଭାଗ ଅଧୀନରେ ‘ବାଓ କେମେଷ୍ଟ୍ରି’, କମର୍ସ ଓ ମ୍ୟାନେଜମେଣ୍ଟ ବିଭାଗ ଅଧୀନରେ ଫାଇନାନ୍ସ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଖୋଲାଯିବ। ସେହିପରି ଜେଏମ୍‌ସି ବିଭାଗ ଅଧୀନରେ ୬୪ ସିଟ୍‌ ବିଶିଷ୍ଟ ସ୍ନାତକ, ଜୁଲୋଜି ବିଭାଗ ଅଧୀନରେ ଏକ ବର୍ଷିିୟା ଡିପ୍ଲୋମା କୋର୍ସ ଖୋଲାଯିବ। ଜେଏମ୍‌ସି ସ୍ନାତକୋତ୍ତରରେ ଏବେ ୪୦ ସିଟ୍‌ ଥିବା ବେଳେ ଏହାକୁ ଆସନ୍ତା ବର୍ଷ ୬୪ଟିକୁ ବୃଦ୍ଧି କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୦ ତାରିଖରେ ଏ ସଂର୍ପକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଡକ୍ଟର ଧର୍ମବ୍ରତ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର