ବିଜେପି ସମାବେଶରେ ଯୋଗୀ ଆଦିତ୍ୟନାଥ : ଡବଲ ଇଞ୍ଜିନ ସରକାର ଜରୁରୀ

ଭବାନୀପାଟଣା/ଖୋର୍ଦ୍ଧା/ବାଲୁଗାଁ : ଦେଶର ବିକାଶ ପାଇଁ ଡବଲ ଇଞ୍ଜିନର ଆବଶ୍ୟକତା ରହିଛି। ଅର୍ଥାତ୍‌ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର। ତେଣୁ ଆଗାମୀ ନିର୍ବାଚନରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଓ ଦେଶର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ଓଡ଼ିଶାରେ ବିଜେପିର ସରକାର ଗଠନ ପାଇଁ ସବୁସ୍ତରରେ ଉଦ୍ୟମ ହେବା ଜରୁରୀ। ଆଜି କଳାହାଣ୍ଡିର ଭବାନୀପାଟଣା ଓ ଖୋର୍ଦ୍ଧାର ନାଚୁଣୀଠାରେ ବିଜେପିର ବୁଥ୍‌ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି।

ଯୋଗୀ ଆଦିତ୍ୟନାଥ ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭବାନୀପାଟଣାଠାରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ କାରକେଡ ମା’ ମାଣିକେଶ୍ବରୀ ମନ୍ଦିର ପହଞ୍ଚିବା ପରେ ଯୋଗୀ ଆଦିତ୍ୟନାଥ ମନ୍ଦିରକୁ ଯାଇ ଦେବୀଙ୍କ ଦର୍ଶନ କରିଥିଲେ। ସେଠାରୁ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମକୁ ଯାଇ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ସମେତ ୫ଟି ଜିଲ୍ଲାର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥି‌ଲେ। ସେଠାରେ ସେ କହିଥିଲେ ଯେ, ଉତ୍ତର ପ୍ରଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବା ଯୋଗୁଁ ବିକାଶର ଧାରା ତ୍ବରାନ୍ବିତ ହୋଇପାରିଛି। ଏକ ତୁଳନାତ୍ମକ ଚିତ୍ର ଦେଇ ସେ କହିଥିଲେ ଯେ, ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ୧୭ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଇଥିବା ବେଳେ ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ମାତ୍ର ଦୁଇ ବର୍ଷରେ ୨୦ ଲକ୍ଷ ଲୋକଙ୍କୁ ଏହି ଆବାସ ଯୋଜନାରେ ସାମିଲ କରିପାରିଛି। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ଡବଲ ଇଞ୍ଜିନ ପାଇଁ ବୁଥ ସ୍ତରରୁ ବିଜେପିକୁ ଜିତାଇବାକୁ ପଡ଼ିବ।

ନାଚୁଣୀ ହାଇସ୍କୁଲ୍‌ ପଡ଼ିଆ ଠାରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ ଅନୁରୂପ ଭାବେ କେନ୍ଦ୍ରୀୟ ଯୋଜନା ଲାଗୁ କରିବା କ୍ଷେତ୍ରରେ ଉତ୍ତର ପ୍ରଦେଶ ଏବଂ ଓଡ଼ିଶାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ତେବେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଆୟୁଷ୍ମାନ ଭାରତ, ଶୌଚାଳୟ ନିର୍ମାଣ ଆଦି ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନ ଥିବା ଅଭିଯୋଗ କରିଥିଲେ। ବରୁଣେଇଠାରେ ସହିଦ ସ୍ମାରକୀ ନିର୍ମାଣରେ ରାଜ୍ୟ ସରକାର ଟାଳଟୁଳ ନୀତି ଧରୁଥିବା ଓ ନିଜର ବ୍ୟକ୍ତିଗତ ଲୁକ୍କାୟିତ ଏଜେଣ୍ଡା ଯୋଗୁଁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ କ୍ରମାଗତ ଭାବେ ଧୋକା ଦେଉଛନ୍ତି ବୋଲି ସେ କଟୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନା ମଧ୍ୟରେ ଉଜ୍ଜ୍ବଳା, ସୌଭାଗ୍ୟ, କୁଶଳ ଭାରତ ଯୋଜନା, ଆତଙ୍କବାଦ ଦମନ, ବିକାଶ ଆଦିର ସୂଚନା ଦେଇ ୨୦୧୪ରୁ ୨୦୧୮ ମଧ୍ୟରେ ହିଁ ଦେଶର ପ୍ରକୃତ ବିକାଶ ହୋଇଛି ବୋଲି ଯୋଗୀ କହିଥିଲେ।

ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ। ତାଙ୍କ ପ୍ରତି ବିଜେଡି ଲଗାଉଥିବା ‘ମିଛୁଆ’ ଆରୋପକୁ ସେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଗ୍ରହଣ କରୁଛନ୍ତି ବୋଲି କହିଥିଲେ। କିନ୍ତୁ ଖୋର୍ଦ୍ଧା ଭଳି ବୀର ପାଇକ ମାଟିରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ସହିଦ ସ୍ମାରକୀ ନିର୍ମାଣରେ ମୁଖ୍ୟମନ୍ତ୍ରୀଙ୍କ ମାଗଣାରେ ଜମି ଯୋଗାଇଦେବା ପ୍ରତିଶ୍ରୁତି ଦେଇ ପୂରଣ କରି ନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଛୁଆ ରାଧୁଆ ବୋଲି ପ୍ରମାଣିତ କରିଥିବା ସେ କହିଥିଲେ।

ଭବାନୀପାଟଣା ସମାବେଶରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ପ୍ରଦୀପ୍ତ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ପୂର୍ବ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗୋ, ଭୃଗୁ ବକ୍ସିପାତ୍ର, ଜୟରାମ ପାଙ୍ଗୀ, ଅଶ୍ବିନୀ ଷଡ଼ଙ୍ଗୀ, ଶିବାଜୀ ମହାନ୍ତି, ସଙ୍ଗୀତା ସିଂହଦେଓ, ଟଙ୍କଧର ତ୍ରିପାଠୀ ସମେତ ବହୁ ଆଗଧାଡ଼ିର ବିଜେପି ନେତାମାନେ ଉଦବୋଧନ ଦେଇଥିଲେ।

ନାଚୁଣୀ ସମାବେଶରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ପୁରୀ, ଭୁବନେଶ୍ବର, ଆସ୍କା, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୨ହଜାର ବୁଥ୍ କର୍ମକର୍ତା ଯୋଗ ଦେଇଥିଲେ। ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ତା, ରାଜ୍ୟ ଉପ–ସଭାପତି ସମୀର ମହାନ୍ତି, ସଂପାଦକ ବିଭୂତି ଭୂଷଣ ଜେନା, ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ମନମୋହନ ସାମଲ, ସୁରମା ପାଡ଼ୀ, ଚିଲିକା ବିଧାୟକ ଡା ବିଭୂତି ଭୂଷଣ ହରିଚନ୍ଦନ, ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ମହେଶ ମହାନ୍ତି, ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର