ଭଲ ଖବର : ସୌରଚାଳିତ ସାଇକେଲ ତିଆରି କଲେ ରାକେଶ, ଘଣ୍ଟାକୁ ଗଡୁଛି ୩୦କିମି

ମଞ୍ଜୁରୀରୋଡ : ଦିନକୁ ଦିନ ବର୍ଦ୍ଧିତ ତୈଳଦର ଓ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ନିଜର ଦୃଢ ଇଚ୍ଛାଶକ୍ତି ବଳରେ ଏକ ସୌରଚାଳିତ ସାଇକେଲ ନିର୍ମାଣ କରି ଗୌରବ ସାଜିଛନ୍ତି ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଗ୍ରାମର ଯୁବ ଇଞ୍ଜିନିିୟର ରାକେଶ ନାୟକ। ସାଇକେଲଟି ଘଣ୍ଟା ପ୍ରତି ୩୦କି.ମି. ବେଗରେ ଗଡିପାରିବ ବୋଲି ପରୀକ୍ଷାମୂଳକ ଭାବେ ଆକଳନ କରିଛନ୍ତି। ରାକେଶଙ୍କ ଏହି ସାଇକେଲ ନିର୍ମାଣ କରିଥିବାରୁ ପରିବାର ସଦସ୍ୟଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ବହୁତ ଖୁସି ଅନୁଭବ କରିଛନ୍ତି। କୁଲଣା ଗ୍ରାମର କୃଷକ ତଥା ସଂଗୀତ ଶିକ୍ଷକ ସୁବାସ ନାୟକ ଓ ପ୍ରମିଳାଙ୍କ ପୁଅ ରାକେଶ ଭଦ୍ରକ ବରପଦା ଇଂଜିନିୟରିଂ ସ୍କୁଲରୁ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରିଛନ୍ତି। ୨୪ବର୍ଷିୟ ରାକେଶ ବାଇକରେ ଯାତାୟତ ବେଳେ ଖର୍ଚ୍ଚାନ୍ତ ହେଉଥିବାରୁ ବାପା ତାଙ୍କ ଉପରେ ବିରକ୍ତ ପ୍ରକାଶ କରିବା ପରେ ସେ ସୌରଚାଳିତ ସାଇକେଲ ନିର୍ମାଣ ପାଇଁ ମନବଳାଇଥିଲେ। ଗତ ଦୁଇ ମାସ ଧରି ସେ ଉଦ୍ୟମ ଜାରି ରଖିଥିଲେ। ନିଜର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସେ ସାଇକେଲରେ ୨ଟି ସୌର ପ୍ଲେଟ ଲଗାଇବା ସହ ୪ଟି ୧୨ଭୋଲ୍ଟ ବ୍ୟାଟେରୀ, ୨୪ଭୋଲ୍ଟ ଡିସି ମୋଟର ଓ ଇଲେକ୍ଟ୍ରି ଏକ୍ସଲିଟର ତାର ସହ ଷ୍ଟାର୍ଟ କରିବା ଓ ବନ୍ଦ କରିବା ସୁଇଚ, ହର୍ଣ୍ଣ ଓ ଲାଇଟ ବ୍ୟବସ୍ଥା ମଧ୍ୟ ରହିଛି। କୌଣସି ସମୟରେ ମୋଟରରେ ତ୍ରୁଟି ହେଲେ ବିକଳ୍ପ ଭାବେ ସାଇକେଲଟି ତାର ସଂଯୁକ୍ତ ଚେନ ସହାୟତାରେ ପ୍ୟାଡେଲ ଯୋଗେ ମଧ୍ୟ ଚାଲିପାରିବ। ବଲ ଜାଳିବା ଓ ଫ୍ୟାନ ଚାଲିବା ପାଇଁ ମଧ୍ୟ ଏହାକୁ ଘରେ ବ୍ୟବହାର କରିବେ ବୋଲି କହିଛନ୍ତିି ରାକେଶ। ଏଥିରେ ସେ ୧୫ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ଆଉ ଟିକିଏ ଉନ୍ନତି କରିବା ପାଇଁ ତଥା ଆଦୃତ କରାଇବା ପାଇଁ ଆଶାରଖିଛନ୍ତି ରାକେଶ। ଏହାଛଡା ଆଗକୁ ଏହା ମାଧ୍ୟମରେ ବିଭିନ୍ନ ଯଂନ୍ତ୍ରାଶ ଖଞ୍ଜି ବିଲରେ ହଳ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି। ତେବେ ତାଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକ ରହିଥିବାରୁ ସରକାରୀ ପ୍ରୋତ୍ସାହନ କିମ୍ବା କୌଣସି ନିର୍ମାଣ କମ୍ପାନୀ ଆର୍ଥିକ ସହଯୋଗ ପ୍ରଦାନ କଲେ ରାକେଶ ଏହାକୁ ନୂତନ ସଂସ୍କରଣ କରିପାରବେ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ସୌରଚାଳିତ ସାଇକେଲକୁ ଦେଖିବା ପାଇଁ ବିଭିନ୍ନ ଲୋକ ଆସିବା ସହ ରାକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର