ଗାଁ ଦାଣ୍ଡରେ ଗଣହତ୍ୟା : ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ

ଜୟପାଟଣା/କୋକସରା/କେସିଙ୍ଗା : ଶନିବାର ରାତିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାଠାରୁ ୩୦ କିମି ଦୂର ବଡ଼ପୁଜାରୀଗୁଡ଼ା ପଞ୍ଚାୟତ ପଲସ ପିପଲଗୁଡ଼ା ଗାଁରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ମଦ ପିଆକୁ କେନ୍ଦ୍ର କରି ଯଚିନ୍ଦ୍ର ରାଉତ ନାମକ ଜଣେ ଯୁବକ ୪ ଜଣଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ସେହି ଗାଁର ସୁନ୍ଦର ନାଏକ, ଲିଙ୍ଗ ଶବର, ନକୁଳ ଶବର ଓ ଉପା ନାଏକ। ଗଣହତ୍ୟା ପରେ ଯଚୀନ୍ଦ୍ର ଫେରାର ହୋଇ ଯାଇଥିଲେ ମଧ୍ୟ ପୁଲିସ ତା’କୁ କାବୁ କରିବା‌େର ସଫଳ ହୋଇଛି ବୋଲି କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ପ୍ରକାଶ କରିଛନ୍ତି। ତେବେ ଗାଁ ଦାଣ୍ଡରେ ଏଭଳି ଏକ ଗଣହତ୍ୟା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ରାତି ପ୍ରାୟ ସାଢ଼େ ୭ଟାରେ ପଲସ ପିପଲଗୁଡ଼ା ଗାଁ ମୁଣ୍ଡରେ ଥିବା ମଦଭାଟିରେ ସୁନ୍ଦର, ଲିଙ୍ଗ, ନକୁଳ ଓ ଉପିଙ୍କ ସହ ଅଭିଯୁକ୍ତ ଯଚିନ୍ଦ୍ର ବସି ମଦ ପିଇଥିଲେ। ତେବେ କୌଣସି କଥାକୁ ନେଇ ଯଚିନ୍ଦ୍ର ସହ ଅନ୍ୟମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯଚିନ୍ଦ୍ର ଏକ ଟାଙ୍ଗିଆରେ ଅନ୍ୟମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ସେମାନେ ସାଇ‌େକଲ ଓ ବାଇକରେ ପଳାଇ ଯାଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଯଚିନ୍ଦ୍ର ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ଚାରିଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗାଁ ମାଓ ଉପଦ୍ରୁତ ଅଞ୍ଚଳରେ ଥିବାରୁ ରାତିରେ ପୁଲିସ ସତର୍କତା ସହିତ ପଦ‌େକ୍ଷପ ନେଉଛି। ତେବେ ଏହାକୁ ନେଇ ଗାଁରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଦୁଇ ବର୍ଷ ତଳେ ଏହି ଗାଁରେ ଅନୁରୂପ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର