ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଅଗ୍ନିଶମ ବିଭାଗ ନାକେଦମ

ବାଘ ଖୁଆଡ଼କୁ ଡେଇଁଥିଲେ, ଆଜି ଟାଵାର‌୍‌ରେ ଚଢ଼ିଲେ

କଟକ : ଦିନେ ବାଘ ଖୁଆଡ଼କୁ ଡେଇଁଥିଲେ, କିନ୍ତୁ ବଂଚିଯାଇଥିଲେ। ନନ୍ଦନକାନନରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରି ଚହଳ ପକାଇଥିବା ପ୍ରକାଶ ପାଣି ଆଜି ପୁଣି ଆତ୍ମହତ୍ୟା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି। ଯୋବ୍ରା ଅଂଚଳରେ ଏକ ଇଲେକ୍ଟ୍ରି ଟାୱାର୍‌ ଉପରକୁ ସେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ କ୍ରମେ ପ୍ରକାଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଆତ୍ମହତ୍ୟା ପାଇଁ ବିଭିନ୍ନ ସମୟରେ ପ୍ରକାଶ ଏପରି ଭିନ୍ନ କୌଶଳ ଆପଣେଇବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଇଥିବା କାରଣରୁ ସେ ଏପରି କରୁଥିବା କହିଛନ୍ତି।

ସୂଚନାନୁଯାୟୀ, ସଦର ଥାନା ବାଲିକୁଦା ଅଞ୍ଚଳର ପ୍ରକାଶ ପାଣି(୪୦) ୫ ବର୍ଷ ତଳେ ନନ୍ଦନକାନନର ବାଘ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ବାଘ ତାଙ୍କ ପିଠିକୁ ରାମ୍ପୁଡ଼ି ଦେଇଥିଲା। କିଛି ସମୟ ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ ୩୦ ବେଳେ ପ୍ରକାଶ ମାଲ୍‌ଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଶନିମନ୍ଦିର ନିକଟରେ ଥିବା ଏକ ଇଲେକ୍ଟ୍ରିକ୍‌ ଟାଵାର ଉପରେ ଚଢ଼ିଯାଇଥିଲେ। ଆତ୍ମହତ୍ୟା ଉଦ୍ୟମ କଲା ବେଳେ ସ୍ଥାନୀୟ ଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଉଭୟ ବକ୍ସିବଜାର ଓ ନୂଆବଜାର ଅଗ୍ନିଶମ କେନ୍ଦ୍ରରୁ ଗାଡ଼ି ପହଞ୍ଚି ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଥିଲା। ଟାଵାର ଉପରୁ କିଛି ଚିଠି ତଳକୁ ଫିଙ୍ଗିଥିଲେ। ତାଙ୍କୁ ସରକାରୀ ସୁବିଧା ମିଳୁନଥିବା ବେଳେ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଫେରାଦ ହୋଇଥିଲେ ସୁଦ୍ଧା ତାଙ୍କ ଦୁଃଖ ଶୁଣୁନଥିବା ଚିଠିରେ ଉଲ୍ଲେଖ ଥିଲା। ପ୍ରାୟ ଏକ ଘଣ୍ଟା କାଳ ଅଗ୍ନିଶମ ବିଭାଗ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଟାଵାର‌୍‌ର ବିଦ୍ୟୁତ ସ˚ଯୋଗ ବିଚ୍ଛିନ୍ନ କରାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଟାଵାର‌୍‌ରେ ଚଢ଼ି ତାଙ୍କୁ ଶେଷରେ ଉଦ୍ଧାର କରିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ମାଲ୍‌ଗୋଦାମ ଥାନା ପୁଲିସର ଜିମା ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର