ଭଞ୍ଜନଗରରେ ଚାଞ୍ଚଲ୍ୟ : ଗାଁ ଦାଣ୍ଡରେ ଯୁବକଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ହୁତ୍‌ହୁତ୍‌ ଜଳି ଦୌଡ଼ୁଥିଲେ ଯୁବକ, ଗ୍ରାମବାସୀ ସ୍ତବ୍ଧ

ଭଞ୍ଜନଗର/ବେଲଗୁଣ୍ଠା : ଗାଁ ରାସ୍ତାରେ ଜଣେ ଯୁବକ ହୁତ୍‌ ହୁତ୍‌ ଜଳି ଦୌଡ଼ୁଥିଲେ। ପ୍ରାଣ ବିକଳରେ ଚିତ୍କାର କରିବା ସହ ଦେହରୁ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ସାର୍ଟ, ପ୍ୟାଣ୍ଟ ଟୁକୁଡ଼ା ଛିଣ୍ଡାଇ ଫୋପାଡ଼ୁଥିଲେ, କାନ୍ଥବାଡ଼ରେ ଘୋଷାଡ଼ି ହୋଇ, ତଳେ ଗଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ। ଆଜି ଅପରାହ୍ଣରେ ହଠାତ୍‌ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଗାଁ ଲୋକଙ୍କୁ ନିର୍ବାକ କରି ଦେଇଥିଲା। ଗଞ୍ଜାମ ଜିଲ୍ଲା ‌ଭଞ୍ଜନଗର ଥାନା ଅନ୍ତର୍ଗତ ଧୂମଛାଇ ଗ୍ରାମ ଛକରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ସାମାନ୍ୟ ବଚସାରୁ ଯୁବକଙ୍କୁ ଜିଅନ୍ତା ଜାଳି ଦେବା ପାଇଁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏଥିରେ ବେଲଗୁଣ୍ଠା ବ୍ଲକ ଧୂମଛାଇ ଗ୍ରାମର ଶତ୍ରୁଘ୍ନ ନାୟକଙ୍କ ପୁଅ ସନ୍ତୋଷ ନାୟକଙ୍କ ଶରୀର ୭୦ ଭାଗ ପୋଡ଼ି ଯାଇଛି। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜଣକୁ ଅଟକ ରଖି ପଚରାଉଚରା କରୁଛି। ‌ଘଟଣା ପରେ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ତେବେ ‌ସନ୍ତୋଷଙ୍କୁ ଦୁଇ ଯୁବକ କାହିଁକି ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କଲେ ତାହାର ପ୍ରକୃତ୍ୟ ରହସ୍ୟ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର