ଯୁବକଙ୍କୁ ହତ୍ୟା ପରେ ପୋଡ଼ିଦେଲେ : ଦରପୋଡ଼ା ଶବ ଉଦ୍ଧାର, ଜଣେ ଅଟକ

ସିମ୍‌କାର୍ଡ଼, ଡ୍ରାଇଭିଂ ଲାଇସେନସ୍‌ରୁ ପରିଚୟ ମିଳିଲା, ଶେଷ କଲ୍‌ କରିଥିଲେ ଜଣେ ଯୁବତୀ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଆଲୋଡ଼ନ ଖେଳାଇ ଦେଇଛି। କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ସୁନାପଲ୍ଲୀ ଗ୍ରାମର ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ଏକାଧିକ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିବା ପରେ ଶବକୁ ପାଳ ଘୋଡ଼ାଇ ପୋଡ଼ି ଦେଇଛନ୍ତି। ଅପରାଧ ପରେ ପ୍ରମାଣ ନଷ୍ଟ କରିବାକୁ ଦୁର୍ବୃତ୍ତମାନେ ହତ୍ୟା ପରେ ଯୁବକଙ୍କୁ ପାଳଗଦାରେ ନିଆଁ ଲଗାଇ ଜାଳି ଦେଇଥିବା ପୁଲିସ ଅନୁମାନ କରୁଛି। ମୃତ ଯୁବକ ଜଣକ କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣାର ରବୀନ୍ଦ୍ର ଦାସଙ୍କ ପୁଅ ସୁରେଶ ଦାସ ଓରଫ କାଳିଆ(୨୪) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ କାଳିଆର ବାଇକ୍‌, ଟୋପି, ହେଲମେଟ୍‌, ଡ୍ରାଇଭିଂ ଲାଇସେନ୍ସ, ଏଟିଏମ୍‌ କାର୍ଡ଼, ହଳେ ଚପଲ ଜବତ କରିଛି। ତେବେ ଯୁବକଙ୍କ ମୋବାଇଲ୍‌ ଫୋନ୍‌ ମିଳିନାହିଁ। କିନ୍ତୁ ସେଥିରୁ ସିମ୍‌ କାର୍ଡ଼ଟି ବାହାର କରାଯାଇ ତଳେ ପଡ଼ିଥିବାବେଳେ ଏହାକୁ ପୁଲିସ ଜବତ କରିଛି। ଅନ୍ୟ ଏକ ମୋବାଇଲ୍‌ ଫୋନ୍‌ରେ ସିମ୍‌ କାର୍ଡ଼ ପକାଇ ଯାଞ୍ଚ କରିବା ପରେ ତାହା କାଳିଆର ବୋଲି ଜଣାଯାଇଛି। ଏହି ସିମ୍‌ କାର୍ଡ଼ ହିଁ ହତ୍ୟାକାଣ୍ଡର ତଦନ୍ତକୁ ବାଟ ଦେଖାଇବ ବୋଲି ପୁଲିସ ଆଶା ବାନ୍ଧିଛି। ଏଥିରୁ ପ୍ରାପ୍ତ କଲ୍‌ ରେକର୍ଡ଼ ପୁଲିସ ଯାଞ୍ଚ କରୁଛି। ରାତିରେ କାଳିଆର ମୋବାଇଲ୍‌କୁ ଯେଉଁ ନମ୍ବରରୁ ଶେଷ କଲ୍‌ ଆସିଥିଲା ତାହାକୁ ଯାଞ୍ଚ କରିବା ପରେ ଉକ୍ତ ନମ୍ବରଟି ଜଣେ ଯୁବତୀଙ୍କର ବୋଲି ଜଣାପଡ଼ିଛି। ସେହି ଯୁବତୀଙ୍କ ଘର ନୂଆପଲ୍ଲୀରେ। ଏଣୁ ହତ୍ୟାକାଣ୍ଡ ପଛଷର ପ୍ରେମ ବ୍ୟାପାର ମୂଳ କାରଣ ହୋଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ ଲଗାଇଛି।

କାଳିଆଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍‌ ନଂ ୧୪/୨୦ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ଓ ପୋଲସରା ଥାନା ପୁଲିସ, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଅଗ୍ନିଶମ ବାହିନୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି କୁହୁଳୁଥିବା ପାଳଗଦାରୁ ଦରପୋଡ଼ା ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୁଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ ଆଜି ସକାଳେ କବିସୂର୍ଯ୍ୟନଗର ଥାନା ସୁନାପଲ୍ଲୀ ନିକଟରେ ଲାଲୁଘାଇ ନିକଟ ଜଣେ ବ୍ୟକ୍ତିଙ୍କ ଘର ପଛପଟେ ଥିବା ଏକ ପା‌ଳଗଦାରେ ଏକ ଅର୍ଦ୍ଧଦଗ୍ଧ ଶରୀର ଲୋକେ ଦେଖିବାକୁ ପାଇଥିଲେ। ଶବର ଦୁଇଟି ଗୋଡ଼ ଶରୀରଠାରୁ କିଛି ଦୂରରେ ପଡ଼ିଥିଲା। ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରା ଯାଇଥିଲା। ପାଳଗଦା ନିଆଁରେ ଶବଟି ଅଧା ଜଳି ଯାଇଥିଲା। ଏ ନେଇ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଅବଗତ କରିଥିଲେ। ପୁଲିସ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ଏଏସ୍‌ଆଇ ସ୍ନେହା ମଞ୍ଜରୀ ସାହୁ, ପ୍ରଶ୍ନ କୁମାର ପରିଡ଼ା, ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଲିକ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲେ।

ଗୁରୁବାର ସକାଳେ କାଳିଆ ବ୍ରହ୍ମପୁର ଯାଉଥିବା ଘରେ କହି ସୁନାପଲ୍ଲୀ ଗ୍ରାମ ନିକଟରେ ଥିବା ଅଶୀନୀପୁର ଗ୍ରାମକୁ ଯାଇଥିଲେ। ସେଠାରୁ ଜଣେ ସାଙ୍ଗ ଘରକୁ ଏକ ଯାଇ ଦଶାହ ଭୋଜିରେ ଯୋଗ ଦେଇଥିଲେ। ପରେ ସୁନାପଲ୍ଲୀରେ ହେଉଥିବା ଭାରତଲୀଳା ନାଟକ ଦେଖିବାକୁ ରାତିରେ ଯାଇ ଆଉ ଫେରି ନଥିଲେ। ହେଲେ ଆଜି ସକାଳୁ ଦରପୋଡ଼ା ଶବ ଉଦ୍ଧାର ପରେ ମିଳିଥିବା ଡ୍ରାଇଭିଂ ଲାଇସେନ୍ସ, ଏଟିଏମ୍‌ କାର୍ଡ଼, ସିମ୍‌ କାର୍ଡ଼ରୁ ପୁଲିସ କାଳିଆର ପରିଚୟ ପାଇଥିଲା।

ସମ୍ବନ୍ଧିତ ଖବର