ସେବା ଓଡ଼ିଆ ଯୁବକଙ୍କ ପରିଚୟ ହେଉ: ମୁଖ୍ୟମନ୍ତ୍ରୀ

କଟକରେ ବିଜୁ ଯୁବବାହିନୀର ସମାବେଶ

କଟକ : ସେବା ହେଉଛି ଶ୍ରେଷ୍ଠ ଧର୍ମ। ଏହାର ବିକଳ୍ପ ନାହିଁ। ‌ସେବା ପାଇଁ ଦରକାର ତ୍ୟାଗ ଓ ଦୃଢ଼ ସଂକଳ୍ପ। ଓଡ଼ିଆ ଯୁବକଙ୍କ ସେବା ହିଁ ପ୍ରଥମ ପରିଚୟ ହେଉ ବୋଲି ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଲେ ସେବା ହିଁ ଯୁବ ସମାଜର ଆଦର୍ଶ ହେଉ। ସେବା ଓଡ଼ିଆ ଜାତିକୁ ମହାନ୍ କରିବା ସହିତ ଶାନ୍ତି, ଏକତା, ସମୃଦ୍ଧି ଆଣିପାରିବ। ତେଣୁ ଦେଶ ତଥା ରାଜ୍ୟ ପାଇଁ କିଛି କରିବାର ସ୍ବପ୍ନ ଓ ସେବାଭାବ ନେଇ ଆଗକୁ ବଢିବାକୁ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି।

ଉତ୍ସବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। କହିଥିଲେ, ଯୁବ ବାହିନୀର ସଦସ୍ୟ ମାନେ ସ୍ବାଭିମାନୀ ଓ ସ୍ବାବଲମ୍ବୀ ହେବା ସହ ଓଡ଼ିଶାର ବିକାଶକୁ ଆଗକୁ ନେବାରେ ସହାୟକ ହୋଇଛନ୍ତି। ଓଡ଼ିଶାକୁ ସବୁଜ ବନାନୀ କରିବା ପାଇଁ ଚାରାରୋପଣ ଓ ରକ୍ତଦାନ ଶିବିର ଆୟୋଜନକରି ସେବା ମନୋଭାବର ପରିଚୟ ଦେଇଥିବା ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ କୁଳମଣି ସାମଲ, ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଦେବାଶିଷ ସାମନ୍ତରାୟ, ପ୍ରଭାତ ରଂଜନ ବିଶ୍ବାଳ ଓ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, କମିସନରେଟ୍‌ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୁଲିସ ଡିସିପି ଅଖିଳେଶ୍ବର ସିଂହ, ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଅଭିନେତା ଅରିନ୍ଦମ ରୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବ ବାହିନୀର ବହୁ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରାରମ୍ଭରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଉତ୍ସବରେ କଟକ, ଢେଙ୍କାନାଳ,‌ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ୩୦ହଜାରୁ ଅଧିକ ବିଜୁ ଯୁବ ବାହିନୀ ସଦସ୍ୟ ଯୋଗ ଦେଇଥିଲେ।

୫୨୯କୋଟିର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ଆଜି ଜିଲ୍ଲାର ୫୨୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଲିଯାତ୍ରା ପଡ଼ିଆରେ ଅପରାହ୍ନରେ ଆୟୋଜିତ ସମାବେଶ ସ୍ଥଳରେ ମୁଖ୍ୟମନ୍ତ୍ରୀ ବାଙ୍କୀ, ସାଲେପୁର, ମାହାଙ୍ଗା, ଆଠଗଡ଼, ନିଆଳି, ସଦର ନିର୍ବଚାନ ମଣ୍ଡଳୀର ଅନେକ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ବିଶେଷ କରି ସିଏମ୍‌ସିର ପାନୀୟ ଜଳଯୋଗାଣ ପ୍ରକଳ୍ପ, ଚାଉଳିଆଗଂଜ ଶ୍ରୀକୁଞ୍ଜବିହାରୀ ଜିଉ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରେଭେନ୍ସା ଜୁନିଅର କଲେଜ ଛାତ୍ରୀ ନିବାସ, ଏସିସିବିରେ ଜଳବିଶୋଧନାଗାର, ସାଲେପୁର ମା’ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନେକ ପ୍ରକଳ୍ପ ଗୁଡ଼ିକର ଉଦ୍‌ଘାଟନ କରିଥିଲେ। ସେହିପରି ସେତୁ, ସଡକ, ଓଭରବ୍ରିଜ୍‌, ଓମ୍‌ଫେଡ୍‌ ପ୍ଲାଣ୍ଟ, ହାଇଲେଭ୍‌ଲ ସେତୁ, ଛାତ୍ରୀ ହଷ୍ଟେଲ ସମେତ ବହୁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର