ବଜ୍ରପାତରେ ଯୁବକ ମୃତ : ଘଣ୍ଟାଏ ଗୋବରରେ ପୋତି ଡାକ୍ତରଖାନା ନେଲେ

ବଡ଼ଗାଁ : ବଜ୍ରପାତରେ ଶିକାର ହୋଇଥିବା ଜଣେ ଯୁବକଙ୍କୁ ଆଜି ଲୋକମାନେ ଘଣ୍ଟାଏ କାଳ ଗୋବର କୁଣ୍ଡରେ ପୋତି ଦେଇଥିଲେ। ବଜ୍ରପାତରେ ଆହତଙ୍କୁ ଗୋବରରେ ପୋତିଲେ, ସେ କୁଆଡ଼େ ଭଲ ହୋଇଯିବେ ବୋଲି ସେଠାକାର ଲୋକଙ୍କର ବିଶ୍ବାସ ରହିଛି। କୌଣସି ଲାଭ ନହେବା‌ରୁ ଯେତେବେଳେ ବାଧ୍ୟହୋଇ ହସ୍ପିଟାଲ ନେଲେ, ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କଲେ। ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ସ୍ଥିତ ପାମରl ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବଡ଼ଗାଁର ପାମରା ସ୍ଥିତ ସର୍ଗିଟୋଲୀ ପଡା ନିବାସୀ ବିନୋଦ ପୋଡ଼ ଏକ ଡାଏରିରେ ଗାଡ଼ି ହେଲ୍‌ପର ଭାବେ କାମ କରୁଥିଲେ। ଆଜି ମଧ୍ୟାହ୍ନରେ ଘରକୁ ଫେରୁ ଥିବାବେଳେ ରାସ୍ତାରେ ବଜ୍ରପାତ ହୋଇଥିଲା। ତା’ର ପ୍ରଭାବରେ ଘଟଣାସ୍ଥଳରେ ହିଁ ବିନୋଦ ରାସ୍ତା ଉପରେ ଟଳି ପଡିଥିଲେ। ସାଥିରେ ଥିବା ଗୋକୁଳାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ଲୋକେ ବିନୋଦଙ୍କୁ ପ୍ରାୟ ଏକ ଘଣ୍ଟାଧରି ଏକ ଗୋବର କୁଣ୍ଡରେ ପୋତିଥିଲେ l କିନ୍ତୁ ସେଥିରେ କୌଣସି ଲାଭ ହୋଇ ନଥିଲା। ତେଣୁ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର କହିଥିଲେ, ବିନୋଦଙ୍କୁ ତୁରନ୍ତ ଡାକ୍ତରଖାନା ଆଣିଥିଲେ ହୁଏତ କିଛି କରା ଯାଇ ପାରିଥାନ୍ତା! କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା।ଅନ୍ୟପକ୍ଷରେ, ଲୋକଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ ଯୋଗୁ ବିନୋଦଙ୍କ ପ୍ରାଣ ଯାଇଥିବା ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ କହିଛନ୍ତି।

ସମ୍ବନ୍ଧିତ ଖବର