ଟ୍ୟାଙ୍କର ଧକ୍କାରେ ଯୁବକ ମୃତ

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାଜ୍ୟ ରାଜପଥ ଅବରୋଧ

ବିଷମକଟକ : ବିଷମକଟକ ବ୍ଲକ ଅନ୍ତର୍ଗତ ବୁରୁଜୁଗୁଡା ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ନିୟନ୍ତ୍ରଣ ହରାଇ ଧୁର୍ଘଟଣା ଘଟାଇଥିବା ଟ୍ୟାଙ୍କରଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଗୋଟିଏ ଜମିରେ ଖସି ପଡ଼ିଛି। ମୃତ ଯୁବକ ଅମ୍ବାଳଦ ଥାନା ଅନ୍ତର୍ଗତ ଖମ୍ବାରିଗୁଡା ଗ୍ରାମର ଯୁଧିଷ୍ଠିର କୁଶୁଲିଆ ବୋଲି ସୂଚନା ମିଳିଛି। ଆଜି ସେ ଦଉଡ଼ି ଖଟିଆ ବିକ୍ରି କରିବା ପାଇଁ ସାଇକ‌ଲ ଯୋଗେ ବୁନ୍ଦୁଗୁଡ଼ା ଗାଁକୁ ଯାଉଥିଲେ। ତେବେ ରାସ୍ତାରେ ଟ୍ୟାଙ୍କର ଦ୍ରୁତଗତିରେ ସାଇକଲକୁ ଧକ୍କା ଦେିତିଲା। ଘଟଣା ସ୍ଥଳରେ ହିଁ ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ଉଭୟ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଯାହାଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ˚କ୍ରାନ୍ତରେ ଖବର ପାଇ ବିଷମକଟକ ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଘଟଣା ସ୍ଥଳରେ ତହସିଲଦାର ଶୁଭେନ୍ଦୁ ଜେନା ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ୍‌ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତ ରାଶି ଯୋଗାଇ ଦିଆଯିବ ବୋଲି ସୂଚାନ ଦେଇଛନ୍ତି। ମୁନିଗୁଡା ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରକୁ ଜବତ କରି ପୁଲିସ ଫେରାର ଡ୍ରାଇଭରକୁ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର