ସର୍ଭେ ବେଳେ ନଦୀରେ ବୁଡ଼ିଗଲେ ଯୁବକ

ମାଥିଲି : ସର୍ଭେ କରୁଥିବାବେଳେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନଦୀକୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବଡଖଇରଖମ୍ବା ଗାଁର ସୌଭାଗ୍ୟ ମହାରଣା (୨୭)। ସଂଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ରାତି ହୋଇଯିବାରୁ ଆଜି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ସକାଳୁ ପୁଣି ଆରମ୍ଭ ହେବ ବୋଲି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି। ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ସର୍ଭେ କରିବାକୁ ଭୁବନେଶ୍ବର ସ୍ଥିତ ଜେ.କେ କନଷ୍ଟ୍ରକସନ ନାମକ ଏକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ୪ଜଣିଆ ସର୍ଭେ ଟିମ୍ ମାଳକାନଗିରି ପହଞ୍ଚିଥିବା ବେଳେ ଆଜି ସକାଳେ ପାଙ୍ଗାମ ନଦୀ ନିକଟରେ ସର୍ଭେ କରୁଥିଲେ। ପାଙ୍ଗାମ ପୋଲ ତଳକୁ ଯାଇ ସୌଭାଗ୍ୟ ଜଳସ୍ତର ମାପୁଥିଲେ। ଏହି ସମୟରେ ହଠାତ୍ ଗୋଡ ଖସିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ। ସାଥୀରେ ଥିବା ଅନ୍ୟମାନେ ପୋଲ ତଳକୁ ଆସିବା ବେଳକୁ ନିଖୋଜ ହୋଇଯାଇଥିଲେ ସେ। ଏହାପରେ ସାଥୀମାନେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ତେଣୁ ମାଲକାନଗିରି ଥାନା ଏବଂ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।

ମାଥିଲି ଥାନା ଆଇଆଇସି ଜନ୍ ଖୁଜୁରଙ୍କ ନେତୃତ୍ବରେ ଘଟଣା ସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସଂଧ୍ୟା ସୁଦ୍ଧା ସନ୍ଧାନ ମିଳି ନଥିବା ବେଳେ ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଖବର ପାଇ ମାଥିଲି ବିଡିଓ ଆଶିଷ କୁମାର ଭୋଇ, ତହସିଲଦାର ମଘବାନ ବାଗ, ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକ, ପାଙ୍ଗାମ ସରପଞ୍ଚ ଉଜ୍ଜ୍ବଳା ପେରେମାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର