ବିଧାନସଭାରେ କୋର୍ଟ ହତ୍ୟା ତାତି

ଭୁବନେଶ୍ୱର : ସମ୍ବଲପୁର ପରିବାର ଅଦାଲତ ପରିସରରେ ଖଣ୍ଡା ଚୋଟରେ ଜଣେ ମହିଳା ପ୍ରାଣ ହରାଇବା ଓ ଅନ୍ୟ ଦୁଇଜଣ ଗୁରୁତର ହେବା ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ବିଗିଡିଯାଇଛି, ସେ ନେଇ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ, ଏହି ଘଟଣା ପରିପ୍ରେକ୍ଷୀରେ ଏଣୁ ଏଣିକି ରାଜ୍ୟ ସରକାର କୋର୍ଟରେ ସୁରକ୍ଷା ବ୍ୟବସ୍ଥା ନେଇ କି ପଦକ୍ଷେପ ନେବାକୁ ଯାଉଛନ୍ତି ସେ ନେଇ ବିବୃତି ରଖିବା ଲାଗି ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳରେ ବିରୋଧୀ ଦଳ ହଟ୍ଟଗୋଳ କରିବା କାରଣରୁ ମାତ୍ର ପାଞ୍ଚ ମିିନିଟ୍‌ ପରେ ଅର୍ଥାତ୍‌ ୧୨ଟା ୫ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ପରେ ଅପରାହ୍ନ ଅଧିବେଶନରେ ବାଚସ୍ପତି ପ୍ରଦୀପ୍ତ କୁମାର ଅମାତ ରୁଲିଂ ଦେଇ ଏହି ପ୍ରସଙ୍ଗରେ ଆଜି ହିଁ ଗୃହରେ ବିବୃତି ରଖିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ନିର୍ଦେଶ ଆଧାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ଗୃହକୁ ଆଶ୍ୱାସନା ଦେଇଛନ୍ତି ଯେ ସମ୍ବଲପୁରର ଏହି ଘଟଣା ପରିପ୍ରେକ୍ଷୀରେ ଏଣିକି ଅଦାଲତରେ ପର୍ଯ୍ୟାପ୍ତ ସୁରକ୍ଷାର ବନ୍ଦୋବସ୍ତ କରିବା ଲାଗି ପୁଲିସକୁ ନିର୍ଦେଶ ଦିଆଯାଇଛି।

ଆଜି ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା କହିଥିଲେ,ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ କୌଣସି ହତ୍ୟାକାଣ୍ଡ ଘଟଣା କ୍ୱଚିତ୍‌ ଶୁଣାଯାଇଥାଏ। ବହୁ ଦିନ ପୂର୍ବରୁ ସୁପ୍ରିମକୋର୍ଟରେ ଏମିତି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ସମଗ୍ର ଭାରତ ବର୍ଷରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଗତକାଲିର ଘଟଣା ବର୍ଣ୍ଣନା କରି ଶ୍ରୀ ମିଶ୍ର କହିଥିଲେ,ରାଜ୍ୟରେ ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି। କୋର୍ଟକୁ ଅପରାଧୀ ବା ଅଭିଯୁକ୍ତମାନେ ହିଁ ଆସିଥାନ୍ତି। ପୁଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିବା କଥା। ମାତ୍ର ଦେଖାଯାଉଛି ଯେ ରାଜ୍ୟର କୋର୍ଟମାନଙ୍କରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ହାଇକୋର୍ଟରେ ମଧ୍ୟ କେତେବେଳେ କଣ ଘଟିବ କହିହେବ ନାହିଁ।

ବିରୋଧୀ ଦଳ ନେତା କହିଥିଲେ, ରାଜ୍ୟ ସରକାର କହୁଛନ୍ତି ଆଇନ ଶୃଙ୍ଖଳାସ୍ଥିତି ନିୟନ୍ତ୍ରଣାଧୀନ। ତେବେ ଏହି ଘଟଣାଟି କିମିତି ଘଟିଲା? ଏଭଳି ଘଟଣା ପରେ ସମଗ୍ର ରାଜ୍ୟର ଅଦାଲତ ପରିସରରେ ସରକାର କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି? ମୁଖ୍ୟମନ୍ତ୍ରୀ ଗୃହରେ ଏ ସଂକ୍ରାନ୍ତରେ ବିବୃତି ରଖିବା ଲାଗି ଶ୍ରୀ ମିଶ୍ର ଦାବି କରିଥିଲେ।

ବାଚସ୍ପତି ବିଜେପି ବିଧାୟକ ରବି ନାଏକଙ୍କୁ କହିବା ଲାଗି ଡାକିବା ପରେ ବିରୋଧୀ କଂଗ୍ରେସ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ। ସମ୍ବଲପୁର ଆଦି ଅଞ୍ଚଳରେ ଦେଖାଯାଇଥିବା ଚକ଼ଡ଼ା ପୋକ ଦାଉ ପ୍ରସଙ୍ଗରେ ଶ୍ରୀ ନାଏକ ପଦୁଟିଏ କହିଥିବା ବେଳେ ଅସ୍ୱାଭାବିକ ପରିସ୍ଥିତିକୁ ଲକ୍ଷ୍ୟ ରଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ପରେ ଅପରାହ୍ନରେ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ବିବୃତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଏପ୍ରିଲ ୨୩ ତାରିଖ ଅର୍ଥାତ୍‌ ଗତକାଲି ସକାଳେ ସମ୍ବଲପୁର ସହରର ପରିବାର ଅଦାଲତ ପରିସରରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସେ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତକାଲି ସକାଳେ ସମ୍ବଲପୁର ଅନ୍ତର୍ଗତ ସିନ୍ଦୁରପଙ୍କ ଗ୍ରାମର ପୀଡ଼ିତା ସଞ୍ଜିତା ଚୌଧୁରୀ ଓ ରମେଶ ଚନ୍ଦ୍ର କୁମ୍ଭାରଙ୍କ ସହିତ ବିବାଦ ମତଭେଦ ମାମଲାରେ ପରାମର୍ଶ ନେବା ପାଇଁ ପରିବାର ଅଦାଲତକୁ ଆସିଥିଲେ। ପୀଡ଼ିତା ସଞ୍ଜିତା ଚୌଧୁୁରୀ ଅନ୍ୟଜଣଙ୍କୁ ପୁନର୍ବିବାହ କରିଥିବା ଜାଣିବାକୁ ପାଇ ଶ୍ରୀ କୁମ୍ଭାର ଅଦାଲତ ପରିସରରେ ସଞ୍ଜିତା, ତାଙ୍କ ମା’ ଓ ଅନ୍ୟ ଜଣେ ଯୁବତୀଙ୍କୁ ଏକ ଖଣ୍ଡାଦ୍ୱାରା ଆକ୍ରମଣ କରିଥିଲେ। ସ୍ଥାନୀୟ ଓକିଲ ଓ ସାଧାରଣ ଜନତା ରମେଶ କୁମ୍ଭାରଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୀଡ଼ିତା ସଞ୍ଜିତା ଚୌଧୁରୀ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍‌ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ଟାଉନ ପୁଲିସ ଷ୍ଟେସନରେ ରୁଜୁ କରାଯାଇ ତଦନ୍ତ ଚାଲିଛି। ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର