ବ୍ୟାଙ୍କ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ସମସ୍ତେ ଦେଖୁଥିଲେ; କେହି ଅଟକାଇ ପାରିଲେନି

ହେମଗିର : ଆତ୍ମହତ୍ୟା ଉଦ୍ୟମକୁ ସମସ୍ତେ ଦେଖୁଥିଲେ। ପରିବାର ଲୋକ, ଦେଖଣାହାରୀ ତଳକୁ ଓହ୍ଲାଇ ଆସିବାକୁ ବୁଝାଉଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ବି ଆସି ପହଞ୍ଚି ଯାଇଥିଲା। କିନ୍ତୁ କେହି ବଞ୍ଚାଇ ପାରିଲେନି। ଆଜି ଅପରାହ୍ନରେ ଅଜବ ଶୈଳୀରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ର ଡୁଡୁକାଠାରେ ଜଣେ ଯୁବକ ଏକ ବ୍ୟାଙ୍କ କୋଠାର ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କର ନାଁ ହେଉଛି ଶିବ ଚନ୍ଦନ (୪୭), ଘର ବାଙ୍କିବାହାଲ। ଛାତରୁ ଡେଇଁ ପଡ଼ିବାର ଏ ଦୃଶ୍ୟର ଭିଡିଓ କିଛିଲୋକ ମୋବାଇଲ୍‌ରେ ଉଠାଇଥିଲେ, ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଆଜି ଅପରାହ୍ନ ପ୍ରାୟ ୨ଟାରେ ଘରଲୋକଙ୍କ ସହିତ ଏକ କାର୍‌ରେ ସୁନ୍ଦରଗଡ଼ ଯାଉଥିବା ବେଳେ ଡୁଡୁକା ବଜାରରେ ଗାଡିର ଗତି ଟିକିଏ କମିବାରୁ ଶିବ ଗାଡିରୁ ବାହାରି ନିକଟରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭିତରକୁ ପଶି ଯାଇଥିଲେ। ସେଠାରେ କେହି କିଛି ବୁଝିବା ପୂର୍ବରୁ ସେ ଛାତ ଉପରକୁ ଚଢିଯାଇ ସେଠାରେ ଲାଗିଥିବା ଗେଟ୍‌କୁ ନିଜ ପଟରୁ ବନ୍ଦ କରି ଦେଇଥିଲେ। ତାପରେ ବାହାରକୁ ଦେଖା ହେବାଭଳି ଛାତ ଉପରେ କୋଠାର ସମ୍ମୁଖ ପଟରେ ଠିଆହୋଇ ହାତ ମେଲାଇ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ବାରମ୍ବାର ଚିତ୍କାର କରିଥିଲେ। ତଳେ ପରିବାରର ସଦସ୍ୟମାନେ ଓ ଅନ୍ୟ ବହୁ ଲୋକ ଠିଆହୋଇ ତାଙ୍କୁ ବାରଣ କରି ବୁଝାଇବାକୁ ଚେଷ୍ଟା କରିଥିଲେ। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତଳକୁ ଆଣିବାଲାଗି ଚେଷ୍ଟା କରିଥିଲେ। କିନ୍ତୁ କିନ୍ତୁ ସେ କାହାରି କଥା ଶୁଣି ନଥିଲେ। ନିଜ ଜିଦ୍‌ରେ ଅଟଳ ରହି କେହି ଉପରକୁ ଆସିଲେ ସେ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏହିପରି ପ୍ରାୟ ଘଣ୍ଟାଏ କାଳ ନାଟକ ଚାଲିବା ପରେ ଦିନ ପ୍ରାୟ ୩ଟା ସମୟରେ ଉପସ୍ଥିତ ଲୋକଙ୍କୁ ଚମକାଇ ଦେଇ ସେ ଛାତ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନାରେ ଚିକିତ୍ସା ପରେ ବୁର୍ଲାକୁ ସ୍ଥାନାନ୍ତରଣ କରା ଯାଉଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଶିବ ଅଚାନକ ଏପରି କରିବାର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣା ପଡିନାହିଁ। ତେବେ ଗତ କିଛିଦିନ ହେଲା ସେ କୌଣସି ମାନସିକ ରୋଗ ଭୋଗୁଥିଲେ ବୋଲି କୁହାଯାଉଛି। ଶିବ ବିବାହିତ ଥିଲେ, ଘରେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର