ବ୍ରହ୍ମପୁରରେ ଚାଞ୍ଚଲ୍ୟ : ଭିଡ଼ ଭିତରୁ ଯୁବକଙ୍କୁ ଅପହରଣ, କଲର୍‌ ଧରି ଅଟୋ ଭିତରକୁ ଟାଣି ନେଲେ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଆଜି ଜଣେ ଯୁବକଙ୍କୁ ଅପହରଣ ହୋଇଛି। କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଜୋରଜବରଦସ୍ତ ଟାଣି ନେଇ ଏକ ଅଟୋରେ ବସାଇ ଚମ୍ପଟ ମାରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟାବେଞ୍ଜ ଛକରୁ ଜନାନା ହସ୍‌ପିଟାଲ ରାସ୍ତା ମଧ୍ୟରେ ଥିବା ଏକ ହୋଟେଲ ସମ୍ମୁଖରେ ଘଟିଛି ଏହି ଘଟଣା। ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇଜଣ ଅଟୋ ଚାଳକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ସମୟ ଅପରାହ୍ନ ପାଖାପାଖି ସାଢ଼େ ଗୋଟାଏ। ପ୍ରତିଦିନ ଭଳି ଆଜି ମଧ୍ୟ ଟାଟାବେଞ୍ଜ ଛକ ଦେଇ ଲୋକଙ୍କ ଯିବା ଆସିବା ରହିଥାଏ। ଲୋକଙ୍କ ଏହି ଗହଳି ମଧ୍ୟରେ ହଠାତ୍‌ ୫/୭ଜଣ ଯୁବକ ଏକ ଅଟୋରେ ଆସି ଜନାନା ହସ୍‌ପିଟାଲ ଯିବା ରାସ୍ତାରେ ଅଟକି ଥିଲେ। ସେମାନେ ରାସ୍ତା ପାର କରି ଅପରପାର୍ଶ୍ବକୁ ଯାଇଥିଲେ। ସେଠାରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକଙ୍କୁ ନାନା ଗାଳିଗୁଳଜ କରି ଧକ୍କା ମାରିଥିଲେ। ଏହାପରେ ସେମାନେ ସମ୍ପୃ୍କ୍ତ ଯୁବକଙ୍କ ସାର୍ଟ କଲର୍‌ ଧରି ଟାଣି ନେଇ ରାସ୍ତା ପାରି କରି ଅଟୋରେ ବସାଇ କୁଆଡ଼େ ଚାଲି ଯାଇଥିଲେ। ଅଟୋରେ ଆସିଥିବା ଯୁବକମାନେ କିଛି ସମୟ ପାଇଁ ସେଠାରେ ଭାଇରାଜ୍ ସୃଷ୍ଟି କରି ଯୁବକଙ୍କୁ ଅପହରଣ କରି ଚମ୍ପଟ ମାରିଥିଲେ। କିଛି ସମୟ ପରେ ପୁଲିସ ନିକଟରେ ଏହି ଖବର ପହଞ୍ଚିଥିଲା। ତୁରନ୍ତ ପୁଲିସ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ନିକଟରେ ଲାଗିଥିବା ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା। ଏହା ସହିତ ହୋଟେଲରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଅପହରଣକାରୀଙ୍କ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରିବା ପରେ ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିଛି ସମୟ ପରେ ପୁଲିସ ଦୁଇଜଣ ଅପହଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ପୁଲିସ ସେମାନଙ୍କୁ ଜେରା କରିବା ପରେ ପୂରା ଘଟଣା ପର୍ଦ୍ଦାଫାସ୍‌ ହୋଇଥିଲା। ସେହି ଅଟୋ ଚାଳକର ଜଣେ ସାଙ୍ଗର ଭଉଣୀଙ୍କୁ କୁଆଡ଼େ ସମ୍ପୃକ୍ତ ଯୁବକ ଜଣକ କମେଣ୍ଟ ମାରିଥିଲେ। ତାହାର ପ୍ରତିଶୋଧ ନେବା ପାଇଁ ସମ୍ପୃକ୍ତ ଯୁବକଙ୍କୁ ଅଟୋରେ ଉଠାଇ ନେଇ ଭବିଷ୍ୟତରେ ଏଭଳି କମେଣ୍ଟ ମାରିଲେ ପରିସ୍ଥିତି ଖରାପ୍‌ ହେବ ବୋଲି ଚେତାବନୀ ଦେଇ ପୁଣିଥରେ ସେଠାରେ ଛାଡ଼ି ଦେଇଥିବା ନେଇ ଉଭୟେ ପୁଲିସ ଆଗାରେ କହିଥିଲେ। ଅପହରଣକାରୀମାନେ ସମ୍ପୃକ୍ତ ଯୁବକଙ୍କୁ ସେଠାରେ ଛାଡ଼ି ଦେଲା ପରେ ସେ କୁଆଡ଼େ ଗଲେ ତାଙ୍କର କୌଣସି ଖୋଜ ଖବର ମିଳୁ ନାହିଁ। ଏମିତିକି ସେ ପୁଲିସ ନିକଟରେ ମଧ୍ୟ ଅଦ୍ୟାବଧି କୌଣସି ଅଭିଯୋଗ କରି ନଥିବା ଏସ୍‌ଡିପିଓ କହିଛନ୍ତି। ସେପଟେ ପୁଲିସ ସେହି ଦୁଇଜଣ ଅଟୋ ଚାଳକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର