ଭୁବନେଶ୍ବର : ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ନେତାଙ୍କୁ ସୁଯୋଗ ଦେବା ପାଇଁ ଦାବି ଉଠିଛି। ପୂର୍ବରୁ ବିଭିନ୍ନ ନିର୍ବାଚନରେ ଯୁବ ଓ ଛାତ୍ର ଶାଖାର ସଭାପତିମାନଙ୍କୁ ଦଳ ଗୁରୁତ୍ବ ପ୍ରଦାନ କରି ଟିକେଟ୍ ଦେଇଛି। ଆଉ ନିର୍ବାଚନୀ ଲଢ଼େଇରେ ସେମାନେ ବି ନିଜକୁ ପ୍ରମାଣିତ କରିଛନ୍ତି। ତେଣୁ ଏହାର ପୁନରାବୃତ୍ତି କରିବାକୁ ଯୁବ-ଛାତ୍ରନେତାମାନେ ନିବେଦନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜନତା ଦଳ ଥିଲା ବେଳେ ଯୁବ ଓ ଛାତ୍ର ଶାଖାର ନେତୃତ୍ବ ନେଉଥିବା ନେତାମାନଙ୍କୁ ଟିକେଟ୍ ଦିଆଯାଉଥିଲା। ତାହା ପରେ ବିଜେଡି ଗଠନ ହେବା ପର ଠାରୁ ଏହି ଦୁଇ ଛାମୁଆ ସଂଗଠନର ସଭାପତିମାନଙ୍କୁ ଟିକେଟ୍ ଦେବା ଧାରା ଜାରି ରହିଛି। ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ମନୋନୀତ ହେବା ପରେ ୨୦୦୦ ମସିହାରେ ପ୍ରତାପ ଜେନା କିଶନନଗରରୁ ବିଧାନସଭା ଟିକେଟ୍ ପାଇଥିଲେ। ସେଥିରେ ସେ ବିଜୟୀ ହେବା ସହ ଲଗାତର ଭାବେ ଚାରି ଥର ବିଧାନସଭାକୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ସେହିପରି ୨୦୦୨ ମସିହାରେ ଅରୁଣ ସାହୁ ଛାତ୍ର ଶାଖା ସଭାପତି ହେବା ପରେ ୨୦୦୪ ମସିହାରେ ନୟାଗଡ଼ରେ ବିଜେଡି ପ୍ରାର୍ଥୀ ହେଲେ। ସେବେ ଠାରୁ ଲଗାତର ତିନି ଥର ସେ ବିଧାୟକ ଭାବେ ଜିତି ଆସୁଛନ୍ତି। ୨୦୧୨ ମସିହାରେ ବ୍ୟୋମକେଶ ରାୟ ବିଜୁ ଛାତ୍ର ଜନତାର ସଭାପତି ଭାବେ ନିଯୁକ୍ତ ହେଲେ। ୨୦୧୪ ମସିହାରେ ତାଙ୍କ ଚାନ୍ଦବାଲିରୁ ବିଜେଡି ଟିକେଟ୍ ମିଳିଲା ଓ ସେ ବିଜୟ ଲାଭ କଲେ।
ସେହିପରି ଯୁବ ଶାଖାର ପୂର୍ବତନ ସଭାପତି ବଳଭଦ୍ର ମାଝୀ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚ୍ଚୀ ନାୟକ, ରଥ ଦାସ, ସଞ୍ଜୟ ଦାସବର୍ମା ପ୍ରମୁଖ ବିଭିନ୍ନ ନିର୍ବାଚନରେ ଦଳୀୟ ଟିକେଟ୍ ପାଇ ସଫଳତା ପାଇଛନ୍ତି।
ପ୍ରତିଟି ନିର୍ବାଚନରେ ଏହି ଯୁବ ଓ ଛାତ୍ର ଶାଖାକୁ ଗୁରୁତ୍ବ ଦିଆଯାଇ ସେମାନଙ୍କ ପ୍ରତିନିଧିତ୍ବ ପାଇଁ ଦଳର ସୁପ୍ରିମୋ ସୁଯୋଗ ଦେଇଛନ୍ତି। ଏହା ଦ୍ବାରା ଯୁବ ଓ ଛାତ୍ର ଶାଖା କର୍ମକର୍ତ୍ତାଙ୍କ ମନୋବଳ ବି ବୃଦ୍ଧି ପାଇଛି। ବିଧାୟକ ହେବା ପରେ ସଭାପତିମାନେ ଉଭୟ ସଂଗଠନକୁ ଆହୁରି ମଜବୁତ୍ କରିବାରେ ସଫଳ ହୋଇଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଯୁବ ଓ ଛାତ୍ର ନେତାଙ୍କୁ ଗୁରୁତ୍ବ ଦେବା ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିବାରେ ଲାଗିଛି। ତେଣୁ ଏ ନେଇ ବିଚାର କରିବାକୁ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ଜୋନ୍ ସଭାପତି ଓ ଜିଲ୍ଲା ସଭାପତିମାନେ ବିଜେଡି ସୁପ୍ରିମୋଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି।