ଡ୍ରେନ୍‌ରେ ଆଉ ୩ ଜଣଙ୍କ ସନ୍ଧାନ

ରାଉରକେଲା : ରାଉରକେଲା ଇସ୍ପାତ କାରାଖାନା (ଆର୍‌ଏସ୍‌ପି) ୯ ନମ୍ବର ଆଉଟ୍‌ ଫଲ୍‌ ଡ୍ରେନ୍‌ ଭିତରେ ଆଉ ୩ ଜଣଙ୍କ ମୃତଦେହର ସନ୍ଧାନ ମିଳିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଆର୍‌ଏସ୍‌ପି ଅଗ୍ନିଶମ ଯବାନମାନେ ଡ୍ରେନ୍‌ ଭିତରକୁ ପଶି ଏହି ୩ ମୃତକଙ୍କ ସନ୍ଧାନ ପାଇଛନ୍ତି।

ଆର୍‌ଏସ୍‌ପି ଅଗ୍ନିଶମ ସେବା ବିଭାଗର କିଛି ଯବାନ ଆଜି ପୁଣି ଡ୍ରେନ୍‌ ଭିତରକୁ ପ୍ରବେଶ କରିଥିଲେ। ଡ୍ରେନ୍‌ର ବାହାର ଅଂଶ ଠାରୁ ପ୍ରାୟ ଶହେ ଫୁଟ୍‌ ଦୂରରେ ମୃତଦେହଗୁଡ଼ିକ ଥିବା ସେମାନଙ୍କ ନଜରକୁ ଆସିଥିଲା। ପ୍ରାୟ ୩୦ ମିଟର ଦୂରରୁ ସେମାନେ ଟର୍ଚ ଲାଇଟ୍‌ ପକାଇ ଶବଗୁଡ଼ିକୁ ଦେଖିଥିଲେ। ମାତ୍ର ଭିତରେ ପଙ୍କ ସାଙ୍ଗକୁ ବିଷାକ୍ତ ଗ୍ୟାସ୍‌ ଥିବାରୁ ସେମାନେ ଅଗ୍ରସର ହୋଇପାରି ନଥିଲେ। ତେଣୁ ଶବଗୁଡ଼ିକୁ ଉଦ୍ଧାର କରିବା ଲାଗି ଡ୍ରେନ୍‌ ପାଇପ୍‌ ଭଙ୍ଗାଯିବା ଏକ ମାତ୍ର ବିକଳ୍ପ। ପାଇପ୍‌ ଉପରୁ ସ୍ଲାଗ୍‌ ଗଦା ହଟାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ଆର୍‌ଏସ୍‌ପିର ଦୁଇଟି ପୋକ୍‌ଲେନ୍‌ ଦିନ-ରାତି ସ୍ଲାଗ୍‌ ଗଦା ଖୋଳିବାରେ ଲାଗିଛି। ଦୀର୍ଘ ୫ ଦିନ ହେଲା ସ୍ଲାଗ୍‌ ବାହାର କରାଯାଉଥିଲେ ମଧ୍ୟ ଡ୍ରେନ୍‌ ଉପରେ ଆହୁରି ୧୮ ଫୁଟ୍‌ରୁ ଅଧିକ ସ୍ଲାଗ୍‌ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେବା ଆଶଙ୍କା କରାଯାଉଛି। ଆର୍‌ଏସ୍‌ପି ଅଗ୍ନିଶମ ସେବା ବିଭାଗ ଭଳି ଓଡ୍ରାଫ, ସିଆଇଏସ୍‌ଏଫ ଓ ଆର୍‌ଏସ୍‌ପି ଯାନ୍ତ୍ରିକ ବିଭାଗର କର୍ମଚାରୀମାନେ ଶବ ଉଦ୍ଧାର ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତେଣୁ ଡ୍ରେନ୍‌ ଭାଙ୍ଗି ଶବ ବାହାର କରିବାକୁ ପ୍ରସ୍ତୁତି ଚାଲିଛି। ଆଉ ଗୋଟିଏ ଦିନ ଲାଗିବ ବୋଲି ଜୋନ୍‌-୩ ଡିଏସ୍‌ପି ପି.କେ.ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର