ଯୁବକଙ୍କୁ ତଣ୍ଟିକାଟି ହତ୍ୟା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ନୂଆ ବଜାରରେ ଥିବା ବିୟର ପାର୍ଲରରେ ବୁଧବାର ଜଣେ ଯୁବକଙ୍କୁ ତଣ୍ଟିକାଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ବିନିକା ସହରର ଗାନ୍ଧୀନଗର ପଡ଼ାର ଟିକୁ ଅଜଗର (୩୨) ଦମକଳ କେନ୍ଦ୍ରକୁ ଯିବା ଆସିବା କରେ। ଦମକଳ କେନ୍ଦ୍ରର କେତେକ କର୍ମଚାରୀଙ୍କ ସହ ତା’ର ବନ୍ଧୁତା ଥିଲା। ବୁଧବାର ସକାଳ ସାଢ଼େ ୯ଟାରେ ଟିକୁ ଓ ବିନିକା ଦମକଳ କେନ୍ଦ୍ରର ଫାୟାର ମ୍ୟାନ୍ ଦୁଷ୍ମନ୍ତ କିଶାନ (୨୮) ବିୟର ପାର୍ଲରକୁ ମଦ ପିଇବାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ଉଧାରି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟିକୁ କୁଆଡ଼େ ଦୁଷ୍ମନ୍ତଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିଲା। ଏହି ଟଙ୍କା ଶୁଝିବାକୁ ଦୁଷ୍ମନ୍ତ କହିଥିଲା। ପରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଟିକୁ ନିକଟରେ ଥିବା ତା’ର ଘରକୁ ଯାଇ ଏକ କଟୁରି ଧରି ଆସିଥିଲା। ବିୟର ପାର୍ଲରରେ ବସିଥିବା ଦୁଷ୍ମନ୍ତଙ୍କୁ ସେ ମାଡ଼ମାରି ତଳେ ପକାଇବା ପରେ କଟୁରିରେ ତଣ୍ଟି କାଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଟିକୁ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ ଘଟଣାସ୍ଥଳକୁ ଆସି ଦୁଷ୍ମନ୍ତଙ୍କ ଶବ ଜବତ କରି ବିନିକା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ଦୁଷ୍ମନ୍ତଙ୍କ ପରିବାର ଲୋକ ଆସିବା ପରେ ଶବ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ଦୁଷ୍ମନ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା କୁରଡ଼ ଗାଁରେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର