ରାଜଧାନୀରେ ପୁଣି ହତ୍ୟା : ଯୁବକଙ୍କୁ ଭୁଜାଲିରେ ଭୁସିଦେଲେ, ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୁଲିସ

ଭୁବନେଶ୍ୱର : କିଛିଦିନ ହେଲା ରାଜଧାନୀରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ପୁଲିସର ମୁଣ୍ଡବ୍ୟଥାର କାରଣ ହୋଇଛି। କେବଳ ରାତି ନୁହେଁ ଦିନ ଦ୍ୱିପ୍ରହରରେ ମଧ୍ୟ ଅପରାଧୀମାନେ ଏପରି କାଣ୍ଡ ଘଟାଇ ଖସି ଯାଉଛନ୍ତି। ଗତ ୨ମାସ ମଧ୍ୟରେ ରାଜଧାନୀରେ ୪ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ପୁଣି ଜାତୀୟ ରାଜପଥରେ ସଞ୍ଜୟ ବେହେରା ଓରଫ ଧୋବା(୨୭) ନାମକ ଜଣେ ଯୁବକଙ୍କୁ ଭୁଜାଲିରେ ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି।

ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ପଳାସୁଣି ଅଞ୍ଚଳର ଏକ ମଦ ଦୋକାନ ସମ୍ମୁଖରେ। ଧୋବାଙ୍କ ଘର ରସୁଲଗଡ଼ ଜିଜିପି କଲୋନି ବାଲିଆପଡ଼ା ବସ୍ତି ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଗୁରୁବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ଧୋବା ପଳାସୁଣି ସ୍ଥିତ ଏକ ବିଦେଶୀ ମଦ ଦୋକାନରୁ ମଦ କିଣିଥିଲେ। କିଛି ସମୟ ପରେ ନିଶାସକ୍ତ ଅବସ୍ଥାରେ ଉକ୍ତ ମଦ ଦୋକାନ ସମ୍ମୁଖକୁ ଆସି ଗାଳିଗୁଲଜ କରିଥଲେ। ଏପରି ବ୍ୟବହାର ଯୋଗୁଁ ଦୋକାନ ମାଲିକ ତାକୁ ସେଠାରୁ ଚାଲିଯିବାକୁ କହିଥିଲେ। ମାତ୍ର ସେ ସେଠାରୁ ନଯାଇ ଅଧିକ ଉତ୍ପାତ କରିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ହଠାତ୍‌ ଜଣେ ଯୁବକ ହେଲ୍‌ମେଟ୍‌ ପିନ୍ଧି ମଦ ଦୋକାନ ଆଡ଼କୁ ଆସିଥିଲା। ଆଉ ଅଣ୍ଟାରୁ ଭୁଜାଲି କାଢ଼ି ଧୋବାଙ୍କ ପେଟରେ ୩-୪ ଥରି ଭୁସି ଦେଇଥିଲା। ଧୋବା ମଦ ଦୋକାନ ସମ୍ମୁଖରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯାଇଥିଲେ। ତେବେ ଏହି ଘଟଣା ସମୟରେ ସେଠାରେ ଥିବା ଅନ୍ୟ ଲୋକମାନେ ସଂପୃକ୍ତ ହେଲ୍‌ମେଟ୍‌ ପିନ୍ଧା ଯୁବକକୁ ଅଟକାଇବାରେ ସାହସ କରିପାରି ନଥିଲେ। ଦୋକାନ ମାଲିକ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧୋବାଙ୍କୁ ଗୁୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ଘଟିବାର କିଛି ସମୟ ପରେ ଡିସିପି ଅନୁପ ସାହୁ, ସ୍ପେସାଲସ୍କ୍ଵାଡ୍‌ ଏସିପି ସଞ୍ଜୀବ ଶତପଥୀ, ଏସିପି ରବି ଶତପଥୀ ଓ ଆଇଆଇସି କେପି ମିଶ୍ର ଘଟଣାସ୍ଥଳରେ ପହଞ୍ଚି ମଦଦୋକାନ ଓ ପାଖରେ ଥିବା ଅନ୍ୟ ଏକ ଦୋକାନର ସିସିଟିଭିି ହାର୍ଡ ଡିସ୍କକୁ ଜବତ କରିଥିଲେ। ସିିସିଟିଭିରେ କଏଦ ହୋଇଥିବା ହତ୍ୟାକାଣ୍ଡର ଦୃଶ୍ୟକୁ ପୁଲିସ ଯାଞ୍ଚ କରୁଛି। ପୁଲିସ ଧୋବାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିବା ସହ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛି।

ଅନ୍ୟପକ୍ଷରେ ଧୋବକୁ ତାଙ୍କ ମାଲିକ ହତ୍ୟା କରିଥିବା ପତ୍ନୀ ଜୁଲି ବେହେରା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କିଛିଦିନ ତଳେ ଧୋବା ସ୍ଥାନୀୟ ଅଞ୍ଚଳର ଜଣେ ଚୋରା ନିଶା ବ୍ୟବସାୟୀଙ୍କ ସହ କାମ କରୁଥିଲେ। ହେଲେ ଗତ ସପ୍ତାହକ ତଳେ ସେଠାରୁ କାମ ଛାଡ଼ି ଦେଇଥିଲେ। ମାଲିକ ବାରମ୍ବାର ଫୋନ୍‌ କରି ପୁଣି ତାଙ୍କ ବ୍ୟବସାୟରେ ସାମିଲ ହେବାକୁ ବାଧ୍ୟ କରିଥିଲେ। ଏପରିକି ବ୍ୟବସାୟରେ ସାମିଲ ନହେଲେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା। ହେଲେ ଧୋବା ତାଙ୍କ ମାଲିକ କଥା ଶୁଣି ନଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ ପାଇଁ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର