ଘରୁ ଡାକି ନେଇ ଯୁବକଙ୍କୁ ଗଳାକାଟି ହତ୍ୟା, ଜଣେ ସନ୍ଦିଗ୍ଧ ଅଟକ

କାଳିଆପାଣି/ଦାନଗଦୀ/ଟମକା : ଘରୁ ଡାକିନେଇ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ଗଳାକାଟି ହତ୍ୟା କରିବା ପରେ ଅଳିଆ ଗଦାରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ସଂପୃକ୍ତ ଯୁବକ ଟିପର ବ୍ୟବସାୟୀ ନିରଞ୍ଜନ ସାହୁ ଓରଫ ନିରୁ(୪୦)ଙ୍କର ମୃତଦେହ ଯାଜପୁର-କେନ୍ଦୁଝର ସୀମାନ୍ତ ଡୁବୁରି-ନରଣପୁର ଭିଆଇପି ରୋଡର ଜନିନ୍ଦାପାଳ ଛକ ରାସ୍ତାକଡ଼ରୁ ଜବତ କରାଯାଇଛି। ମୃତକ ନିରୁ ବରୀ ଥାନା ଅନ୍ତର୍ଗତ ଅରଙ୍ଗାବାଦ ଗାଁର ଧରଣୀଧର ଦାସଙ୍କ ପୁଅ ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ବ୍ୟାପକ ଛାନଭିନ୍ କରିବା ସହିତ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ପଡ଼ିଥିବା ଏକ ରକ୍ତଲଗା ଛୁରି ଓ ରକ୍ତ ଭିଜା କପଡ଼ାକୁ ପୁଲିସ ଜବତ କରିଛି। ଏ ସଂକ୍ରାନ୍ତରେ ଥାନାରେ ଏକ ହତ୍ୟା ମାମଲା ୪୪/୨୦୧୯ ରୁଜୁ ହୋଇଛି।

ମୃତକଙ୍କ ପତ୍ନୀ ସୁଚିତ୍ରା ସାହୁ ଉକ୍ତ ଗାଁର ଯୁବକ ସଂଗ୍ରାମ ମଲିକ ଓରଫ୍‌ ପାକୁଲୁ(୨୮)କୁ ସିଧାସଳଖ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ ଦୁଇଦିନ ପୂର୍ବରୁ ଟିପର ବ୍ୟବସାୟକୁ ନେଇ ତାଙ୍କ ସ୍ବାମୀ ଓ ପାକୁଲୁ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭିଯୁକ୍ତ ଗତକାଲି ରାତିରେ ତାଙ୍କ ସ୍ବାମୀଙ୍କୁ ଫୋନ କରି ଡକାଇଥିଲା। ତେଣୁ ସେ ହିଁ ହତ୍ୟା କରିଛି ବୋଲି ‌ସୁଚିତ୍ରା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅବସରପ୍ରାପ୍ତ ଟାଟା ଷ୍ଟିଲ କର୍ମଚାରୀ ସୁବଳ ମଲିକଙ୍କ ପୁଅ ପାକୁଲୁ ନିଜ ବୁଲେଟ୍‌(ଓଡି-୨୨ଏଲ୍‌-୦୩୮୦) ଧରି ଖସି ପଳାଇବାକୁ ବସିଥିବା ବେଳେ ପୁଲିସ ତାକୁ କୌଶଳ କ୍ରମେ କାବୁ କରିଥିଲା। ଏଥିସହ ଉକ୍ତ ବାଇକ୍‌କୁ ପୁଲିସ ଜବତ କରିଛି। ଅଭିଯୁକ୍ତକୁ ପୁଲିସ ଏକ ଗୁପ୍ତ ସ୍ଥାନରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ପିସ୍ତଲ, ଗୋଟିଏ ଛୁରି ଏବଂ ମୋବାଇଲ ଜବତ କରିଛି ପୁଲିସ। କଳିଙ୍ଗନଗର ଏଏସ୍‌ପି ରାଜ କିଶୋର ଦୋରା, ଟମକା ଥାନା ଅଧିକାରୀ ସୁଶ୍ରୀ ସଂଘମିତ୍ରା ନାୟକ, କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତରନ୍ତ ଆରମ୍ଭ କରିଥିଲେ। କଟକ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ସନ୍ଧାନୀ କୁକୁର ଓ କେନ୍ଦ୍ରାପଡ଼ା ଫୋ‌ରେନ୍ସିକ ସାଇନ୍ସ ଲା‌ବରୋଟୋରିର ଏଏସ୍‌ଓ ଆଦିତ୍ୟ ରଞ୍ଜନ ନାୟକ ସଦଳବଳ ଘଟଣାର ତ୍ବରିତ ତଦନ୍ତ କରିଥିଲେ।

ହତ୍ୟାକାଣ୍ଡ ପାଇଁ ଆଜି ସକାଳୁ ସକାଳୁ ଜନିନ୍ଦାପାଳ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ କିଛି ସମୟ ପାଇଁ ରାସ୍ତା ଅବରୋଧ କରି ହତ୍ୟାକାରୀକୁ ଗିରଫ ଦାବି କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁଲିସ କବ୍‌ଜାରେ ଥିବା ଜାଣିବା ପରେ ଆନ୍ଦୋଳନ ଆପେ ହଟି ଯାଇଥିଲା। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ସଂଧ୍ୟାରେ ଜନିନ୍ଦାପାଳ ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର