ନାବାଳିକା ସହ ଶାରୀରିକ ସଂପର୍କ ଅଭିଯୋଗ : ଥାନାରୁ ଫେରି ଯୁବକଙ୍କ ଆତ୍ମହତ୍ୟା

ସହି ପାରିଲେନି ନିର୍ଯାତନା; ସୁଇସାଇଡ୍ ନୋଟ୍ ଜବତ, ‘ମୋତେ ମିଥ୍ୟା ମାମଲାରେ ଫସାଇ ଦିଆଗଲା’

ବୁଗୁଡ଼ା : ନାବାଳିକା ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ ପ୍ରଥମେ ବାଡ଼େଇଲେ, ପରେ ରାତି ଅଧରେ ଘରେ ପଶି ଥାନାକୁ ଧରି ନେଲେ ଏବଂ ନାବାଳିକାକୁ ବାହା ହେବାକୁ ବାଧ୍ୟ କଲେ। ଏଭଳି ଅଭିଯୋଗରେ ଅପମାନିତ ହୋଇ ଏବଂ ଚାପରେ ଅତିଷ୍ଠ ହୋଇ ଶେଷ‌ରେ ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କଲେ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୂଲି ପଞ୍ଚାୟତ କୁମୁଟିଘାଇ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଉଛନ୍ତି, ବିଶିକେଶନ ପ୍ରଧାନ ଓରଫ୍ ଲକି (୨୪)। ଆଜି ଭୋର୍ ୩ଟାରେ ଘର ବାରିପଟ ଆମ୍ବ ଗଛରୁ ଲକିଙ୍କ ଝୁଲନ୍ତା ଶବ ମିଳିଥିବାବେଳେ ଲକିଙ୍କ ପ୍ୟାଣ୍ଟ ପକେଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଯେଉଁଥିରେ ‘ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁ‌ହେଁ। କିନ୍ତୁ ମୋତେ ମିଥ୍ୟା ମାମଲାରେ ଫସାଇଦିଆଯାଇଛି’ ବୋଲି ଲେଖାଯାଇଛି। ବୁଗୁଡ଼ା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

ଜଗନ୍ନାଥପ୍ରସାଦ ଥାନା କୁମୁଣ୍ଡା ଗ୍ରାମର ମୂଳବାସିନ୍ଦା ବଂଶୀଧର ପ୍ରଧାନଙ୍କ ସାନ ପୁଅ ଲକି ୧୦ ବର୍ଷ ହେଲା କରଚୂଲିରେ ଏକ ମୋବାଇଲ୍ ଦୋକାନ କରିଛନ୍ତି। ସେ କୁମୁଟିଘାଇସ୍ଥିତ ତାଙ୍କ ପିଉସା ଧୋବା ନାୟକଙ୍କ ଘରେ ରହୁଥିଲେ। ତେବେ ଗତ ୯ ତାରିଖରେ ନିକଟ ଏକ ଗ୍ରାମର କିଛି ଯୁବକ ଲକିଙ୍କ ବିରୋଧରେ ଜଣେ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ଥିବା ଅଭିଯୋଗ ଆଣିବା ସହ ଦୋକାନକୁ ଆସି ତାଙ୍କୁ ମାଡ଼ ମାରିଥିଲେ। ପୁଣି ୧୦ ତାରିଖ ସକାଳେ ଜଣେ ଯୁବକ ଆସି ପାଟିତୁଣ୍ଡ କରିଥିଲେ। ତେବେ ରାତିରେ ନିକଟ ଗ୍ରାମର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ସ୍ବାମୀ ସମେତ ପ୍ରାୟ ୮ଜଣ ଯୁବକ ଧୋବାଙ୍କ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ସେମାନେ ଲକିଙ୍କୁ ଘରୁ ଟାଣି ଆଣି ପୁଲିସ ଜିମା ଦେଇଥିଲେ। ଲକି ଥାନାରେ ଅଟକ ରହିଲେ। ଗତ ୧୧ ତାରିଖରେ ଲକିଙ୍କ ବାପା ବଂଶୀଧର ଓ ଭିଣୋଇ ଘୁଡ଼ୁକା ପ୍ରଧାନ ଥାନାକୁ ଯାଇଥିଲେ। ଦିନ ସାରା ଅପେକ୍ଷା କରିବା ପରେ ସନ୍ଧ୍ୟାରେ ସରପଞ୍ଚଙ୍କ ଉପସ୍ଥିତିରେ ଥାନାରେ ଆଲୋଚନା ହୋଇଥିଲା। ଆଉ ଉକ୍ତ ନାବାଳିକାଙ୍କ ସହ ଲକି ବାହା ହେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପୁଲିସ ତାଙ୍କୁ ଥାନାରୁ ଛାଡ଼ିଥିଲା।

ତେବେ ଥାନାରୁ ଆସିବା ପରେ ଲକି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସବୁଦିନ ଭଳି ଗତକାଲି କରଚୂଲି ଯାଇ ଦୋକାନ ଖୋଲି ବ୍ୟବସାୟ କରିବା ପରେ ସନ୍ଧ୍ୟାରେ ଘରକୁ ଫେରିଥିଲେ। ପୁଣି ନାବାଳିକାଙ୍କ ଦୁଇଜଣ ସଂପର୍କୀୟ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ। ଆଜି ଭୋର୍ ୩ଟାରେ ଲକି ଘରେ ନଥିବା ଦେଖି ପରିବାରବର୍ଗ ଖୋଜା‌ଖୋଜି କରିଥିଲେ। ଶେଷରେ ବାରିପଟଠୁ ୧୦୦ ମିଟର ଦୂର ଏକ ଆମ୍ବ ଗଛରେ ଲକିଙ୍କ ଝୁଲନ୍ତା ଶବ ମିଳିଥିଲା। ବୁଗୁଡ଼ା ପୁଲିସ ପହଞ୍ଚି ଶବକୁ ଜବତ କରିଥିଲା। ମୃତକ ଲକିଙ୍କ ପିଉସା ପୁଅ ଭାଇ ଅନିଲ ନାୟକଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି। ଲକିଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ। ନାବାଳିକାଙ୍କୁ ବିବାହ କରିବାକୁ ଲକିଙ୍କ ଉପରେ ଚାପ ପକାଯିବାରୁ ସେ ଭାଙ୍ଗି ପଡ଼ି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର