ଖାପ୍‌ ପଞ୍ଚାୟତରେ ଦଣ୍ଡ : ଅପମାନିତ ହୋଇ ଯୁବକଙ୍କ ଆତ୍ମହତ୍ୟା

ପ୍ରେମୀଯୁଗଳଙ୍କୁ ସହାୟତା ପାଇଁ ମିଳିଥିଲା ଦଣ୍ଡ

କାଲିମେଳା : ନାବାଳିକା ସହ ପ୍ରେମ ସଂପର୍କକୁ ବିରୋଧ କରି ଗାଁରେ ବସିଲା ଖାପ୍‌ ପଞ୍ଚାୟତ। କିନ୍ତୁ ଖସି ଗଲେ ପ୍ରେମୀ ଯୁଗଳ। ଆକ୍ରୋଶର ଶିକାର ହେଲେ ଦୁହିଁଙ୍କ ପ୍ରେମକୁ ସମର୍ଥନ କରୁଥିବା ଯୁବକ। ଦଣ୍ଡ ସ୍ୱରୁପ ଗାଁ ଲୋକ ମିଶି ପିଟିଲେ। ଏହାପରେ ୧୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦିଆଗଲା। ବିନା ଦୋଷରେ ଏଭଳି ଅପମାନକୁ ସହ୍ୟ କରିପାରିଲେନି। ଶେଷରେ ଜୀବନ ହାରିଲେ ଦଣ୍ଡ ପାଇଥିବା ଯୁବକ। ଗାଁ ପାଖ କାଳୀ ମନ୍ଦିର ନିକଟରେ ଦଉଡି ଦେଇ ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗିବାଡା ପଞ୍ଚାୟତ ଏମ୍‌ପିଭି-୨୦ ଗାଁରେ। ଏନେଇ ମୃତକଙ୍କ ଭାଇ ଆଜି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏମପିଭି-୨୦ଗାଁର ଜଣେ ଯୁବକ ଦୀର୍ଘ ଦିନ ହେଲା ଏମପିଭି-୧୯ଗାଁର ଜଣେ ନାବଳିକାକୁ ଭଲ ପାଉଥିଲେ। କିନ୍ତୁ ଗାଁ ଲୋକଙ୍କ ନଜରରେ ଏହି ପ୍ରେମ ସଂପର୍କ ପଡିବାରୁ ଗତକାଲି ରାତିରେ ଗାଁରେ ଖାପ୍‌ ପଞ୍ଚାୟତ ବସିଥିଲା। ଉଭୟ ପ୍ରେମିକ, ପ୍ରେମିକା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ଜେରା କରାଗଲା। ଏହି ସଂପର୍କକୁ ଏମପିଭି-୨୦ ଗାଁର ଦିବାକର ବେପାରିଙ୍କ ସ୍ୱୀକୃତି ଓ ସମର୍ଥନ ରହିଥିବା ନେଇ ବି ଜଣାପଡିଥିଲା। ତେଣୁ ଖାପ୍‌ ପଞ୍ଚାୟତ ନ୍ୟାୟ ନିଶାପ ହଠାତ୍‌ ଭିନ୍ନ ମୋଡ ନେଇଥିଲା। ଦିବାକରଙ୍କୁ ଡକାଇ ସମସ୍ତଙ୍କ ସାମ୍ନାରେ ଗ୍ରାମ କମିଟି ସଦସ୍ୟ ପିଟିଥିଲେ। ଅପରାଧୀ ଭଳି ବ୍ୟବହାର କରି ୧୫ହଜାର ଟଙ୍କା ଜରିମାନା ବାବଦରେ ଗ୍ରାମ କମିଟି ନିକଟରେ ଜମା କରିବାକୁ ନିର୍ଦେଶ ଦେଲେ। ତେବେ ଆଜି ସକାଳେ ଗାଁ କାଳୀ ମନ୍ଦିର ନିକଟରେ ଦିବାକରଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର