‘ବାର୍ଦ୍ଧକ୍ୟକୁ ସହିପାରିବିନି, ଚାଲିଯାଉଛି’

ଫେସବୁକ୍‌ରେ ସୁଇସାଇଡ୍‌ ନୋଟ୍‌ ପୋଷ୍ଟ କରି ଆତ୍ମହତ୍ୟା

ବ୍ରହ୍ମପୁର : ‘ମୃତ୍ୟୁ ପୂର୍ବରୁ ମା’ଙ୍କ ଯନ୍ତ୍ରଣା ଦେଖିଛି। ବାର୍ଦ୍ଧକ୍ୟକୁ ସହି ପାରିବିନି, ତେଣୁ ଚାଲିଯାଉଛି।’ ଏହି ଆବେଗଭରା ଶବ୍ଦ କେତୋଟି, ଯାହାକୁ କି ସୁଇସାଇଡ୍‌ ନୋଟ୍‌ ବୋଲି କୁହାଯାଇପାରେ, ‌ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଜଣେ ‌ଲାବୋରେଟୋରୀ ଆସିଷ୍ଟାଣ୍ଟ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ମା’ ଯନ୍ତ୍ରଣାରେ ଆଉଟୁପାଉଟୁ ହୋଇଥିଲେ। ‌ଶେଷରେ, ତାଙ୍କର ମୃତ୍ୟୁ ଘଟିଲା। ଏହା ହେଉଛି ଏକ ବର୍ଷ ତଳର ଘଟଣା। ମାତ୍ର, ମା’ର ସେହି ଯନ୍ତ୍ରଣାକୁ ସହି ପାରିଲେନି ସେ ବାର୍ଦ୍ଧକ୍ୟର ସେହି ନିଷ୍ଠୁର ସତ୍ୟକୁ ସାମ୍‌ନା କରିବାର ସାହସ ବି ତାଙ୍କର ନ ଥିଲା। ଶେଷରେ, ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିନେଇଥିବା ତାଙ୍କର ସମ୍ପର୍କୀୟମାନେ କହିଛନ୍ତି। ଏହି ଘଟଣା ଆଜି ବ୍ରହ୍ମପୁର ସହରରେ ଆଲୋଚନାର ବିଷୟ ପାଲଟିଛି।

ମୃତ ବ୍ୟକ୍ତି ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ମୀନାକ୍ଷିନଗରରେ ରହୁଥିବା ଅଜିତ କୁମାର ପଣ୍ତା(୫୨)। ଅଜିତ ରୟାଲ୍‌ କଲେଜ ଅଫ୍‌ ଫାର୍ମାସୀରେ ଲ୍ୟାବ୍‌ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ସେ ଅବିବାହିତ ଥିବାବେଳେ ମା’ଙ୍କ ମୃତ୍ୟୁ ପରେ ମୀନାକ୍ଷିନଗରସ୍ଥିତ ଭଡ଼ା ଘରେ ଏକୁଟିଆ ରହୁଥିଲେ। ମା’ ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହିତ ମୃତ୍ୟୁ ବେଳକୁ ବହୁ କଷ୍ଟ ଭୋଗିଥିଲେ, ଯାହାକି ଅଜିତଙ୍କୁ ଖୁବ୍‌ ବାଧିଥିଲା।

ଗତକାଲି ରାତିରେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ସୁଇସାଇଡ୍‌ ନୋଟ୍‌ ଅପ୍‌ଲୋଡ୍‌ କରିଥିବା ସମ୍ପର୍କୀୟ ମାନେ ଦେଖିବାକୁ ପାଇଥିଲେ। ସୁଇସାଇଡ୍‌ ନୋଟ୍‌ ଦେଖିବା ପରେ ଆଜି ସକାଳେ ତାଙ୍କର ସମ୍ପର୍କୀୟ ଓ ସହକର୍ମୀ ମାନେ ମୀନାକ୍ଷିନଗର ସ୍ଥିତ ଭଡ଼ାଘରେ ପହଞ୍ଚିଥିଲେ। ଘର କବାଟ ଭିତର ପଟୁ ବନ୍ଦ ରହିଥିବା ବେଳେ ସେମାନେ ପୁଲିସକୁ ଖବର ଦେଇଥିଲେ। କାନ୍ଥରେ ନେକ୍ସଟ୍ ଗେଟ୍ ଏଣ୍ଟ୍ରି, ୱେଟ୍ ଫର୍ ପୁଲିସ ବୋଲି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳେ ଏକ କୋଠରିରୁ ଅଜିତଙ୍କ ଝୁଲନ୍ତା ଶବ ଜବତ ହୋଇଥିଲା। ଏହାସହିତ ଏକ ଟେବୁଲରେ ଥିବା ସୁଇସାଇଡ୍‌ ନୋଟ୍‌ ମଧୢ ଜବତ ହୋଇଥିଲା। ନୋଟ୍‌ଟି ଇ˚ରାଜୀ ଭାଷାରେ ଲେଖା ହୋଇଥିଲା।

‘ମା’ଙ୍କ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଘଟଣା ତାଙ୍କୁ ବହୁ କଷ୍ଟ ଦେଇଥିଲା। ତେଣୁ ସେହି ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ସେ ଆତ୍ମହତ୍ୟା କରିଥିବା ନେଇ ନୋଟ୍‌ରେ ଉଲ୍ଲେଖ କରିଥିଲେ। ଏଥିପାଇଁ କେହି ଦାୟୀ ନୁହଁନ୍ତି ବୋଲି ନୋଟ୍‌ରେ ଉଲ୍ଲେଖ ରହିଛି। ଆସନ୍ତାକାଲିଠାରୁ ମୋତେ ଦେଖି ପାରିବେ ନାହିଁ। ପୁନଃଜନ୍ମଚକ୍ର ପ୍ରକ୍ରିୟାରୁ ମୁକ୍ତି ନିମନ୍ତେ ମୋ’ ପାଇଁ ପ୍ରାର୍ଥନା କରନ୍ତୁ,’ ବୋଲି ନୋଟ୍‌ରେ ଉଲ୍ଲେଖ ରହିଛି। ଏହି ଘଟଣା ଅଜିତଙ୍କ ସମ୍ପର୍କୀୟ ଓ ସହକର୍ମୀଙ୍କୁ ବେଶ୍‌ ମର୍ମାହତ କରିଛି। ସେ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବୋଲି ପୁଲିସ ଅନୁମାନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଏନେଇ କେସ ନମ୍ବର ୧୫/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଜିତଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଥିବା ଗୋସାଇଁନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର