ବଣୁଆ ହାତୀକୁ ଆଖୁ ଦେଇ ସେଲଫି

ଖୁଣ୍ଟୁଣୀ : ବଣୁଆ ହାତୀ ସହ ସେଲଫି ନେଲାଣି ଅନେକ ଜୀବନ। ତଥାପି ଲୋକଙ୍କ ଚେତା ପଶୁନି। ବଣୁଆ ହାତୀକୁ ଆଖୁ ଦେଇ, ପୋକଶୁଘାଂ ଡାଳ ଭାଙ୍ଗି ଶୁଣ୍ଢରେ ମାରି ଦଳ ଦଳ ଲୋକ ସେଲଫି ନେଉଛନ୍ତି। ସେହି ସମୟରେ ଟେକା ପକାଇ ହାତୀକୁ ଘଉଡାଉଛନ୍ତି କିଛିଲୋକ । ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଉଳ ଅଞ୍ଚଳର ଏକ ଫାର୍ମ ହାଉସ୍‌ ନିକଟରେ ବଣୁଆ ହାତୀ ସହ ସେଲ୍‌ଫି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁସପଙ୍ଗୀ ଓ ବଉଳ ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନରେ ହାତୀ ଆଗରେ ସେଲଫି ଓ ହାତୀ ଗୋଡାଇବା ଦୃଶ୍ୟ ଭାଇରାଲ ହୋଇଛି। ହାତୀପଲଙ୍କ ସହ ଏଭଳି ଆଚରଣ ଯୋଗୁଁ ହାତୀ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରୁଥିବା ବେଳେ ଏଥିରେ ଅନେକ ସମୟରେ ଲୋକଙ୍କ ଜୀବନ ଯାଉଛି।

ଏସଂପର୍କରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ରତ୍ନାକର ଦାସ କହିଛନ୍ତି ଯେ ବାରମ୍ବାର ବନବିଭାଗ ପକ୍ଷରୁ ଲୋକଙ୍କୁ ଏନେଇ ବାରଣ କରାଯାଉଛି। କିନ୍ତୁ ଲୋକ ମାନୁନାହାନ୍ତି। ଗତକିଛିଦିନ ହେଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୩/୪ଟି ଦଳରେ ହାତୀପଲ ବିଭକ୍ତ ହୋଇ ବ୍ୟାପକ ଫସଲ ନଷ୍ଟ କରିବା ସହ ଅନେକ ସମୟରେ ଧନଜୀବନ ହାନୀ ଘଟୁଛି। ତଥାପି ଯୁବବର୍ଗ ହାତୀ ସହ ସେଲଫି ନିଶା ବନ୍ଦ ହେଉନି। ସାମାଜିକକର୍ମୀ ମାଗୁଣି ରାଉତ କହିଛନ୍ତି ଯେ ଏନେଇ ଜନସଚେତନତା ଜରୁରୀ । ଏଭଳି ବିପଜ୍ଜନକ କାର୍ଯ୍ୟରୁ ଯୁବବର୍ଗ ଦୂରେଇ ରହିବା ଉଚିତ୍‌। ତାସହିତ ହାତୀ ଉପଦ୍ରବ ଗ୍ରାମଗୁଡିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଉଜ୍ଜଳ ଆଲୋକ ବ୍ୟବସ୍ଥା କରିବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର