ଯୁବ ସରପଞ୍ଚ ଚିତ୍ତରଂଜନଙ୍କ ହୃଦ୍‌ଘାତରେ ପରଲୋକ

ପଞ୍ଚାୟତ ଅଦାଲତ, ସରପଞ୍ଚ ରିଲିଫ୍ ପାଣ୍ଠି ଗଠନ କରିଥିଲେ, ନବୀନଙ୍କ ଶୋକ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସମ୍ପାଦକ ତଥା ଭାଗବତପୁର ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଂଜନ ବେହେରା(୪୯)ଙ୍କ ଆଜି ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ସମଗ୍ର ଜିଲ୍ଲା ତଥା ଜିଲ୍ଲା ବାହାରେ ତାଙ୍କ ଜାଣିବାଶୁଣିବା ମହଲରେ ଶୋକର ଛାୟା ଖେଳିଯାଇଛି।

ଯୁବ ସରପଞ୍ଚ ଚିତ୍ତରଞ୍ଜନ ଜିଲ୍ଲାରେ ପ୍ରଥମ କରି ପଞ୍ଚାୟତ ଅଦାଲତ, ସରପଞ୍ଚ ରିଲିଫ୍ ପାଣ୍ଠି, ପଞ୍ଚାୟତବାସୀଙ୍କ ପାଇଁ ପେନସନ୍, ନାରୀଶକ୍ତିକୁ ସମ୍ମାନ ଜଣାଇ କଲ୍ୟାଣକାରୀ ଯୋଜନା, ଅପପୁଷ୍ଟି ରୋକିବାକୁ ଯୋଜନାମାନ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ଆଦର୍ଶ ସରପଞ୍ଚ ଭାବେ ମଧ୍ୟ ପୁରସ୍କୃତ ହୋଇ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିଲେ।

ଶ୍ରୀ ବେହେରା ଆଜି ପୂର୍ବାହ୍ଣରେ ଗୁଲନଗରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ବିଜେଡ଼ି କର୍ମୀ ସମ୍ମିଳନୀରେ ଯୋଗ ଦେଇ ତିନି ମୁହାଣି ଛକକୁ ଆସିଥିଲେ। ସେଠାରେ ଲସି ପିଉଥିବା ବେଳେ ହଠାତ୍ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜିଲ୍ଲା ବିଜେଡ଼ିର ବହୁ ନେତା, କର୍ମୀ ହସ୍ପିଟାଲରେ ପହଞ୍ଚି ପ୍ରିୟନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ବାଲିଆ ନିଆଯାଇଥିଲା। ପଞ୍ଚାୟତ ଅଫିସରେ ଶୋକାକୁଳ ଗ୍ରାମବାସୀ ‘ଚିତ୍ତଭାଇ ଅମର ରହେ’ ଧ୍ୱନି ଦେଇ ପ୍ରିୟ ନେତାଙ୍କ ଶେଷଦର୍ଶନ କରିଥିଲେ।

ଶୋଭାଯାତ୍ରାରେ ସ୍ବର୍ଗତ ବେହେରାଙ୍କ ମରଶରୀରକୁ ସହର ମଧ୍ୟ ଦେଇ ଭାଗବତପୁର ପଞ୍ଚାୟତ କାର୍ଯ୍ୟାଳୟ, ଜମଧର ସେବା ସମବାୟ ସମିତି ଓ ଶେଷରେ ଗ୍ରାମକୁ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ନବୀନଙ୍କ ଶୋକ

ଭୁବନେଶ୍ବର : କେନ୍ଦ୍ରାପଡ଼ା ବ୍ଲକ ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଭାଗବତପୁର ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ବେହେରାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତଃ ବେହେରା ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ଘଟିଛି। ସ୍ବର୍ଗତ ବେହେରାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର