ଦାରିଦ୍ର୍ୟମୁକ୍ତ ସମାଜ ଗଠନ ସମ୍ଭବ: ପ୍ରଫେସର ୟୁନୁସ୍‌

ଭୂୁବନେଶ୍ୱର : ଦାରିଦ୍ର୍ୟମୁକ୍ତ ସମାଜ ଗଠନ କରିବା ସମ୍ଭବ। ଏହାକୁ ହାସଲ କରାଯାଇପାରିବ। ସଚିବାଳୟରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତତାମାଳାର ଷୋଡ଼ଶ ସଂସ୍କରଣରେ ଉଦ୍‌ବୋଧନ ଦେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ଅର୍ଥନୀତିଜ୍ଞ ପ୍ରଫେସର ମହମ୍ମଦ ୟୁନୁସ୍‌ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଫେସର ୟୁନୁସ୍‌ କହିଥିଲେ, ଦାରିଦ୍ର୍ୟ ଦୂରୀକରଣ ନାଗରିକମାନଙ୍କର କ୍ରିୟାଶୀଳତା ଓ ଉତ୍ପାଦନ ବୃଦ୍ଧି ଉପରେ ମୁଖ୍ୟତଃ ନିର୍ଭର କରିଥାଏ। ଏହା କେବଳ ସରକାରୀ ଅର୍ଥ ଅଥବା ବଜେଟ୍‌ ପ୍ରାବଧାନ ମାଧ୍ୟମରେ ଆଦୌ ହାସଲ କରାଯାଇପାରିବ ନାହିଁ। ଏଥିପାଇଁ ଯୋଜନାବଦ୍ଧ ପ୍ରଚେଷ୍ଟା, ଆନୁଷ୍ଠାନିକ ବ୍ୟବସ୍ଥା ଓ ସର୍ବୋପରି ଦୃଢ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି। କେବଳ ସେତିକି ନୁହେଁ, ଦେଶର ନାଗରିକମାନଙ୍କୁ ଅଧିକ କର୍ମକ୍ଷମ, ଆତ୍ମବିଶ୍ୱାସୀ ଏବଂ ଉତ୍ପାଦନକ୍ଷମ କରିବାକୁ ହେବ।

ଦାରିଦ୍ର୍ୟମୁକ୍ତ, ବେକାରିମୁକ୍ତ ଏବଂ ଅଙ୍ଗାରକ ନିର୍ଗମନ ମୁକ୍ତ ସମାଜ ଗଠନ କେବଳ ପୁସ୍ତକଗତ ଜ୍ଞାନ ବା ଅବଧାରଣା ନୁହେଁ ବୋଲି ଦୃଢ ମତ ରଖି ପ୍ରଫେସର ୟୁନୁସ୍‌ କହିଥିଲେ, ଏହା ଏକ ବାସ୍ତବତା। ବିଶ୍ୱ ସମୁଦାୟ ସାମ୍ନାରେ ରହିଥିବା ଏହି ତିନିଟି ଆହ୍ଵାନକୁ ହଟାଇବାକୁ ହେଲେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ଏହାକୁ ସେ ତିନୋଟି ଶୂନ( ଏ ଓ୍ଵାର୍ଲଡ ଅଫ୍‌ ଥ୍ରି ଜିରୋଜ୍‌)ର ବିଶ୍ୱ ବୋଲି ଅଭିହିତ କରିଥିଲେ।

ବାଂଲାଦେଶର ଉଦାହରଣ ଦେବା ଛଳରେ ୟୁନୁସ୍‌ କହିଥିଲେ, ଗ୍ରାମୀଣ ବ୍ୟାଙ୍କରୁ ଗରିବ ଲୋକମାନଙ୍କୁ ସହଜରେ ଏବଂ ବିନା କୌଣସି ବନ୍ଧକରେ ସ୍ୱଳ୍ପ ପରିମାଣର ଋଣ ଯୋଗାଇ ଫଳରେ ସେଠାରେ ଲୋକମାନଙ୍କର ଉତ୍ପାଦନ କ୍ଷମତା ବଢ଼ିଛି। ଏହାଦ୍ୱାରା ଲକ୍ଷାଧିକ ଲୋକ, ବିଶେଷକରି ମହିଳାମାନେ ଦାରିଦ୍ର୍ୟମୁକ୍ତ ହୋଇପାରିଛନ୍ତି। ଏ ପ୍ରକାର ବ୍ୟାଙ୍କିଂ ବ୍ୟବସ୍ଥାକୁ ମଧ୍ୟ କେତେକ ପାଶ୍ଚାତ୍ୟ ଦେଶ ସଫଳତାର ସହିତ ଅନୁସରଣ କରିପାରିଛନ୍ତି। ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତରେ ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ଏ ପ୍ରକାର ବ୍ୟାଙ୍କିଂ ବ୍ୟବସ୍ଥାକୁ ସଫଳତାର ସହିତ ଅନୁକରଣ କରାଯାଇ ପାରିବ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଉଦ୍ୟୋଗୀ ଗୁଣ ରହିଛି ବୋଲି ସୂଚାଇ ପ୍ରଫେସର ୟୁନୁସ୍‌ କହିଥିଲେ, ଗରିବ ଲୋକଙ୍କ ପାଖରେ ଏହା ଅଧିକ ମାତ୍ରାରେ ରହିଛି। କାରଣ ସେମାନେ ନିଜର କର୍ମ ଓ ଶ୍ରମ ବଳରେ ବଞ୍ଚିଥାନ୍ତି। ଉପଯୁକ୍ତ ପ୍ରୋତ୍ସାହନ ଓ ସହଜସାଧ୍ୟ ଋଣ ମିଳିଲେ ସେମାନେ ନିଜେ ନିଜେ ଉଦ୍ୟୋଗୀ ହୋଇ ନିଜ ନିଜର ଛୋଟ ଛୋଟ ପ୍ରତିଷ୍ଠାନ ଚଳାଇ ପାରିବେ। ବାଂଲାଦେଶରେ ଭିକାରୀମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ଫଳରେ ସେମାନେ କିଭଳି ଉଦ୍ୟୋଗୀ ହୋଇପାରିଛନ୍ତି ସେ ସଂପର୍କରେ ପ୍ରଫେସର ୟୁନୁସ୍‌ ଆଲୋକପାତ କରିଥିଲେ।

ଏହି ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରଫେସର ୟୁନୁସ୍‌ଙ୍କୁ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତତାମାଳାର ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରଫେସର ୟୁନୁସ୍‌ ସଦ୍ୟ ପ୍ରକାଶିତ ପୁସ୍ତକ ‘ ଦି ଓ୍ଵାର୍ଲଡ ଅଫ୍‌ ଥ୍ରି ଜିରୋଜ୍‌’କୁ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ସଚିିବ ପ୍ରମୁଖ ଯୋଗଦେଇ ଥିଲେ।

ସମ୍ବନ୍ଧିତ ଖବର