ଆଜି ରାତି ସୁଦ୍ଧା ରାଜ୍ୟର ଏହି ୯ ଟି ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଅର୍ଦ୍ଧାଧିକ ଓଡ଼ିଶା ଗତକାଲି ଠାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ତତଲା କଡ଼େଇରେ ପରିଣତ ହୋଇଥିବା ବେଳେ ଆଜି (ଗୁରୁବାର) ରାତି ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍‌ ଚିତ୍ର ଓ ଡପ୍‌ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ସନ୍ଧ୍ୟା ପରଠାରୁ ରାତି ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ଘଣ୍ଟାପ୍ରତି ୩୦ର ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର