‘ଫନି’ର ଭୟାଭୟ ତାଣ୍ଡବରେ ବିଦ୍ୟୁତ ସେବା, ଭିତ୍ତିଭୂମି ବରବାଦ : ସଚିବାଳୟରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ‘ଫନି’ର ଭୟାଭୟ ତାଣ୍ଡବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଗତ କାଲି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ପୁରୀ ସହରରେ ପ୍ରଥମେ ସ୍ଥଳଭାଗ ଛୁଇଁଥିବାରୁ ସହର ସମେତ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଓ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିଦ୍ୟୁତ ସଂଯୋଗର ପୁନରୁଦ୍ଧାର କରିବା ଏକ ବଡ଼ ଚାଲେଞ୍ଜ। ଏହାସହିତ ଗତ ୨୪ ଘଣ୍ଟା ଭିତରେ ତଳିଆ ଅଞ୍ଚଳରୁ ପାଖାପାଖି ୧୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଛି। ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ସେସବୁ ଲୋକଙ୍କ ଯତ୍ନ ନେବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ପୁରୀ ସହର ସମେତ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଗତ ୨୪ ଘଣ୍ଟାରେ ୧୨ ଲକ୍ଷ ଲୋକ ସ୍ଥାନାନ୍ତର

ଆଜି ଗଞ୍ଜାମରେ ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ ହେବ

ଗଞ୍ଜାମ ଓ ଗଜପତିରେ ସ୍ବାଭାବିକ ହେଲା ଗମନାଗମନ

ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି, ବାତ୍ୟା ‘ଫନି’ ଏବେ ବି ଓଡ଼ିଶା ଦେଇ ଗତିକରୁଛି। ବାତ୍ୟା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ ନକରିବା ଯାଏଁ କ୍ଷୟକ୍ଷତି ଆକଳନ କରିବା ସମ୍ଭବ ହେବନି। ଆସନ୍ତାକାଲି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରାଯିବା ସହ ଅନ୍ୟ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ଗମନାଗମନ ସ୍ବାଭାବିକ କରିବା କାମ ଆରମ୍ଭ ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗମନାଗମନ ସ୍ବାଭାବିକ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର