କରୋନା ମୁକାବିଲା ପାଇଁ ପିଏମକେୟାର୍ସ ଫଣ୍ଡକୁ ୧୦ କୋଟି ଟଙ୍କାର ସହାୟତା ଦେଲେ ସତସଙ୍ଗର ଆଚାର୍ଯ୍ୟଦେବ

ଦେଓଘର : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି | ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କୋଭିଡ-୧୯କୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ଏଥିଲାଗି ଗଠନ ହୋଇଥିବା ପିଏମକେୟାର୍ସ ଫଣ୍ଡକୁ ଆର୍ଥିକ ସହଯୋଗ ପାଇଁ ଅନୁରୋଧ କରିଛନ୍ତି | ଏହି ପରିପ୍ରେକ୍ଷୀରେ ସତସଙ୍ଗର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଦାଦା ୧୦ କୋଟି ଟଙ୍କା ପିଏମକେୟାର୍ସ ଫଣ୍ଡକୁ ଦାନ କରିଛନ୍ତି। ସତସଙ୍ଗର ସଂପାଦକ ଏକ ବିଜ୍ଞପ୍ତି ଜାରି କରି  ଏହି ସୂଚନା ଦେଇଛନ୍ତି।

ଏଥିସହ ସାରା ଭାରତବର୍ଷରେ ଥିବା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁଗାମୀ ଓ ସତସଂଗୀମାନେ ବ୍ୟକ୍ତିଗତ  ଓ ସାମୂହିକ ଭାବେ କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସତସଙ୍ଗର ସଂପାଦକ ଅନୁରୋଧ କରିଛନ୍ତି | ସରକାରୀ ନିର୍ଦ୍ଦେଶିକାକୁ ମାନିବା ସହ ସରକାରଙ୍କ ଅନୁମୋଦିତ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗିତା କରିବାକୁ ସେ ଆହ୍ବାନ କରିଛନ୍ତି | ସଭିଏଁ ସରକାରୀ ନିର୍ଦ୍ଦେଶକୁ ମାନି ନିଜର ଏବଂ ଅନ୍ୟ ସମସ୍ତଙ୍କର ଜୀବନର ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର