ଏହି ମନ୍ଦିରରେ ପାଦ ନ ଦେଲେ ଅମରନାଥ ଯାତ୍ରା ଅସଂପୂର୍ଣ୍ଣ

ଜାମ୍ମୁ-କାଶ୍ମୀରର ମନ୍ଦିର ନଗରୀ ବୋଲି ବିବେଚିତ ହେଉଥିବା ଜାମ୍ମୁଠାରୁ ୨୪୬ କି.ମି ଦୂରରେ ଥିବା ପୁଂଛ ଘାଟୀର ରାଜପୁରା ମଣ୍ଟି କ୍ଷେତ୍ରକୁ ଯେଉଁଠାକୁ ପହଞ୍ଚିବା ପାଇଁ ପଦଯାତ୍ରା କରିବାକୁ ପଡେନି । କାଶ୍ମୀରର ସୁନ୍ଦର ଲୋଇନ୍‌ ଘାଟିରେ ସ୍ଥିତ ବୁଢା ଅମରନାଥଙ୍କର ମନ୍ଦିର । ଏହା ଚକ୍‌ମକ୍‌ ପଥରରେ ତିଆରି ହୋଇଛି । ଅନ୍ୟ ସମସ୍ତ ଶିବ ମନ୍ଦିର ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ । ମନ୍ଦିରର ଚାରିକାନ୍ଥ କାଠରେ ତିଆରି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଯାହା ଖୁବ୍‌ ପୁରୁଣା । ପୀରପଞ୍ଜାଳ ପର୍ବତ ଶୃଙ୍ଖଳର ପାଦଦେଶରେ ସ୍ଥିତ ମନ୍ଦିର ପାଖରେ ଥିବା ପାହାଡ଼ ବର୍ଷସାରା ବରଫ ଦ୍ୱାରା ଆଚ୍ଛାଦିତ । ଯାହାର ସୌନ୍ଦର୍ଯ୍ୟ ଖୁବ୍‌ ଚମତ୍କାର । ବରଫ ଦ୍ୱାରା ଆଚ୍ଛାଦିତ ପର୍ବତ ଶ୍ରେଣୀ, ତା ପାଖରେ ବହିଯାଉଥିବା ନଦୀରୁ ଥଣ୍ଡା ଜଳ, ଚାରିପଟେ ଘେରି ରହିଥିବା ଉଚ୍ଚନିଚ୍ଚ ପର୍ବତ କାରଣରୁ ଏହି ଅଞ୍ଚଳ ଏକ ରମଣୀୟ ହିଲ୍‌ଷ୍ଟେସନ୍‌ ଠାରୁ କିଛି କମ୍‌ ନୁହେଁ । ବୁଢା ଅମରନାଥଙ୍କର ଦର୍ଶନ ପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନ ଥାଏ ।

photo-dailyexcelsior.com

ହେଲେ ଆପଣ ଜାଣନ୍ତି କି ବୁଢ଼ା ଅମରନାଥଙ୍କର ଦର୍ଶନ ବିନା ଅମରନାଥ ଯାତ୍ରାସଂପୂର୍ଣ୍ଣ ହୁଏନି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ହିନ୍ଦୁମାନଙ୍କର ଦର୍ଶନ ସ୍ଥଳୀ ହେଲେ ମଧ୍ୟ ଏହି ମନ୍ଦିର ପାଖରେ କୌଣସି ହିନ୍ଦୁମାନଙ୍କର ବାସସ୍ଥାନ ନାହିଁ । ଏହି ମନ୍ଦିରର ଦେଖାଶୁଣା ପାଖରେ ରହୁଥିବା ମୁସଲିମ୍‌ ପରିବାର ତଥା ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜବାନ୍‌ମାନେ କରନ୍ତି । ତିନି ପଟେ ପାକିସ୍ତାନ ସୀମା ଘେରି ରହିଥିବା ପୁଂଛ ଘାଟୀର ଉତ୍ତର ଭାଗରେ ପୁଂଛ ସହର ରୁ ୨୩ କି.ମିରେ ଦୂରରେ ଥିବା ବୁଢ଼ା ଅମରନାଥଙ୍କର ମନ୍ଦିର ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଛି । କୁହାଯାଏ ଯେ ଭଗବାନ୍‌ ଶିବ କାଶ୍ମୀର ସ୍ଥିତ ଅମରନାଥଙ୍କର ଗୁମ୍ଫାରେ ମାତା ପାର୍ବତୀଙ୍କୁ ଯେଉଁ କଥା ଶୁଣାଉଥିଲେ ତାହାର ଆରମ୍ଭ ବୁଢ଼ା ଅମରନାଥଙ୍କର ସ୍ଥାନରୁ ଆରମ୍ଭ କରିଥିଲେ । ଏଣୁ ଲୋକମାନେ ଏହା ମାନନ୍ତି ଯେ ଏହି ମନ୍ଦିରର ଦର୍ଶନ ବିନା ଅମରନାଥଙ୍କର ଯାତ୍ରା ସଂପୂର୍ଣ୍ଣ ହୁଏନି ।

ସମ୍ବନ୍ଧିତ ଖବର