ଭାରତରେ ମହଙ୍ଗା ହେଲା ଆଇ-ଫୋନ

ନୂଆଦିଲ୍ଲୀ-ଆପଲ କମ୍ପାନି ଭାରତରେ ନିଜର ଆଇ-ଫୋନ ଦର ବଢାଇଛି । କେନ୍ଦ୍ର ସରକାର ସ୍ମାର୍ଟଫୋନ ଓ ଆଉ କେତେକ ଫୋନ ଉପରେ ଆମଦାନୀ ଶୁଳକ ବଢାଇବା ପରେ ପ୍ରଥମ କମ୍ପାନିଭାବେ ଆପଲ ଏହି ପଦକ୍ଷେପ ନେଇଛି ।

ଚୀନ, ତାଇଓ୍ଵାନ ପ୍ରଭୃତି ଦେଶରୁ ଆସୁଥିବା ଶସ୍ତା ମୋବାଇଲ ଓ ମୋବାଇଲ ସାମଗ୍ରୀ କବଳରୁ ଘରୋଇ ଉଦ୍ୟୋଗଗୁଡିକୁ ସୁରକ୍ଷା ଦେବା ଲାଗି ସରକାର ଗତ ସପ୍ତାହରେ ଏସବୁ ସାମଗ୍ରୀ ଉପରେ ଲାଗୁ ସୀମା ଶୁଳକକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆପଲ ନିଜର ୮୮ ପ୍ରତିଶତ ହାଣ୍ଡସେଟ୍‌ ଆମଦାନୀ କରିଥାଏ । ତେବେ ଆପଲ୍‌ ଏସଇ ମଡେଲଗୁଡ଼ିକ ଭାରତରେ ଆସେମ୍ବଲ ହେଉଥିବାରୁ ସେଗୁଡିକର ଦର ବୃଦ୍ଧି କରାଯାଇନାହିଁ । ଭାରତରେ ଆପଲ-୧୦ (୬୪ ଜିବି) ମଡେଲର ମୂଲ୍ୟ ପୂର୍ବରୁ ୮୯ ହଜାର ଟଙ୍କା ଥିବାବେଳେ ଏବେ ତାହା ୯୨,୪୩୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ଏବେ ୧.୦୫,୭୨୦ ଟଙ୍କାକୁ ବୃଦ୍ଧିପାଇଛି,ଯାହାକି ପୂର୍ବରୁ ୧,୦୨,୦୦୦ ଟଙ୍କା ଥିଲା । ଅନ୍ୟପକ୍ଷରେ ଆପଲ ଆଇଫୋନ-୮ (୬୪ ଜିବି ଭାରିଆଣ୍ଟ)ର ମୂଲ୍ୟ ଏବେ ୬୬,୧୨୦ ଟଙ୍କାକୁ ବୃଦ୍ଧି ପାଇଛି ଓ ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୭୯,୪୨୦ ଟଙ୍କାକୁ ବୃଦ୍ଧି ପାଇଛି । ଆଇଫୋନ-୮ ପ୍ଲସ୍‌ର ମୂଲ୍ୟ (୬୪ ଜିବି ଭାରିଆଣ୍ଟ) ୭୫୪୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଆଇଫୋନ-୮ ପ୍ଲସ (୨୬୪ ଜିବି)ର ମୂଲ୍ୟ ୮୮୭୫୦ ଟଙ୍କାକୁ ବୃଦ୍ଧି ପାଇଛି ।

ତେବେ ଆପଲ ଏବେ ଭାରତରେ କେବଳ ଆଇଫୋନ-ଏସଇର ଆସେମ୍ବଲ କରୁଛି । ବାଙ୍ଗାଲୋରରେ ତାଇଓ୍ଵାନ କମ୍ପାନି ଓ୍ଵିଷ୍ଟରନ ସହଯୋଗରେ ଏହି ଆସେମ୍ବଲିଂ କରାଯାଉଛି । ଟିକସ ରିହାତି ଦେଲେ ଅଧିକରୁ ଅଧିକ ଫୋନର ଆସେମ୍ବଲିଂ ଭାରତରେ କରିବାକୁ କମ୍ପାନି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ।

ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ୱ ବିଭାଗ ପକ୍ଷରୁ ଗତ ସପ୍ତାହରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଟିଭି ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ମିନିଟର ଓ ପ୍ରୋଜେକ୍ଟର ଉପରେ ସୀମା ଶୁଳକୁ ଦ୍ୱିଗୁଣିତ କରାଯାଇ ୨୦ ପ୍ରତିଶତ କରାଯାଇଛି । ସେହିପରି ଓ୍ଵାଟର ହିଟର ଓ ହେୟାର ଡ୍ରେସିଂ ସାମଗୀ ଉପରେ ସୀମା ଶୁଳକକୁ ଦୁଇଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତ କରାଯାଇଛି ।

ସମ୍ବନ୍ଧିତ ଖବର