ଏହି ଓଡ଼ିଆ ସିନେମାରେ ଖଳନାୟକ ବନିଥାନ୍ତେ ବଲିଉଡ ଅଭିନେତା ଆଶୁତୋଷ ରାଣା !

ଭୁବନେଶ୍ୱର: ମହମ୍ମଦ ମହସୀନ୍‌ ଓଲିଉଡ୍‌ର ଜଣେ ଟପ୍‌ ଡିରେକ୍ଟର ଭାବେ ବିବେଚିତ ହେଉଥିବା ବେଳେ ତାଙ୍କର ଆକସ୍ମିକ ବିୟୋଗ ଘଟିଥିଲା । ଆପଣମାନେ କ’ଣ ଜାଣନ୍ତି କି ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ମହସୀନ୍‌ ବାବୁ ଏକ ଫିଲ୍ମର ସ୍କ୍ରିପ୍ଟ କାମ କରୁଥିଲେ । ହଁ ନିର୍ଦ୍ଦେଶକ ମହମ୍ମଦ ମହସୀନ୍‌ ଯେଉଁ ଫିଲ୍ମର ସ୍କ୍ରିପ୍ଟ କାମରେ ବ୍ୟସ୍ତ ଥିଲେ, ତାହାର ଟାଇଟଲ୍‌ ଥିଲା ‘ସିନ୍ଦୂର’ ।

ମହମ୍ମଦ ମହସୀନ୍‌ଙ୍କ ‘ ସିନ୍ଦୂର’ର ସଂଳାପ ଲେଖୁଥିଲେ ରଣଜିତ୍‌ ପଟ୍ଟନାୟକ । ଉଭୟେ ରଣଜିତ୍‌ ବାବୁଙ୍କ ବସାଘରେ ସ୍କ୍ରିପ୍ଟ୍‌ ପ୍ରସ୍ତୁତି ରେ ଲାଗି ପଡ଼ି ଥାଆନ୍ତି ।ସେତେବେଳେ ରଣଜିତ୍‌ ପଟ୍ଟନାୟକ କଟକର ଡଗରପଡ଼ାରେ ଥିବା ଜୀବନରଙ୍ଗ ଭବନ ପରିସରରେ ସପରିବାର ରହୁ ଥାଆନ୍ତି । ସେଦିନ ପ୍ରାୟ ତିନି ଘଣ୍ଟା ଧରି ସ୍କ୍ରିପ୍ଟ କାମ କରିବା ପରେ ମହସୀନ୍‌ ବାବୁ ଘରକୁ ଲଞ୍ଚ କରିବା ପାଇଁ ବାହାରି ଥିଲେ । ଲଞ୍ଚ୍‌ ପରେ ପୁଣି ସ୍କ୍ରିପ୍ଟ୍‌ କାମ ଚାଲିବ ବୋଲି ଯୋଜନା ହୋଇଥିଲା । ହେଲେ ଘରେ ପହଞ୍ଚିବାପରେ ଆକସ୍ମିକ ଭାବେ ତାଙ୍କର ହୃଦଘାତ ହେଲା ଓ ତାଙ୍କର ପରଲୋକ ଘଟିଲା । ସେଇଠି ଆଉ ‘ ସିନ୍ଦୂର’ର ସ୍କ୍ରିପ୍ଟ କାମ ଅଟକିଗଲା । ଏହାର କିଛି ଦିନ ପରେ ପ୍ରଯୋଜକ ନିରଂଜନ ରଣା ଅନ୍ୟ ନିର୍ଦ୍ଦେଶକଙ୍କୁ ନେଇ ‘ ସିନ୍ଦୂର’ର ନିର୍ମାଣ କରିବାକୁ ପ୍ରୟାସ କରିଥିଲେ, ମାତ୍ର କେହି ରାଜି ହୋଇ ନଥିଲେ । ଏହି ଫିଲ୍ମରେ ରଚନା ବାନାର୍ଜୀ ଓ ସିଦ୍ଧାନ୍ତଙ୍କୁ ଲିଡ୍‌ ରୋଲରେ ନିଆଯିବାର ଥିଲା । ଏହି ସିନେମାର ପ୍ରଯୋଜନା କରୁଥିଲେ ନିରଜଂନ ରଣା , ଯିଏ କି ପରେ ‘ ଯେ ପାଞ୍ଚେ ପର ମନ୍ଦ’ ‘ ହରି ଭାଇ ହାରେନା’ , ‘ ରକତେ ଲେଖିଛି ନାଆଁ’, ‘ ପହିଲି ରଜ ’ ‘ ଟାର୍ଗେଟ’ ଏବଂ ‘ଗୋଟେ ଶୁଆ ଗୋଟେ ଶାରୀ’ ଆଦି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ସବୁଠୁଁ ବଡ଼ କଥା ଥିଲା ଯେ ବଲିଉଡ଼ ଅଭିନେତା ଆଶୁତୋଷ ରାଣାଙ୍କୁ ଏଥିରେ ଖଳନାୟକ ଚରିତ୍ରରେ ନିଆଯିବାର ଥିିଲା, କିନ୍ତୁ ‘ସିନ୍ଦୂର’ର ନିର୍ମାଣ କାର୍ଯ୍ୟ ଆଉ ଆଗକୁ ଯାଇପାରିନଥିଲା । ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ଶେଷ ସିନେମା ଥିଲା ୨୦୦୨ ରେ ରିଲିଜ୍‌ ହୋଇଥିବା ପ୍ରଯୋଜକ ସୁବାସ ରାଉତଙ୍କ ସୁପରହିଟ୍‌ ଫିଲ୍ମ ‘ ସନ୍ତାନ’ ।

ସମ୍ବନ୍ଧିତ ଖବର