ଭୁବନେଶ୍ୱର ଓ ଭଦ୍ରକରେ ସମ୍ପୂର୍ଣ୍ଣ ‘ସଟଡାଉନ୍’ ନିୟମ ନ ମାନି ବାହାରକୁ ଆସିଲେ୧୪ଦିନିଆ ସରକାରୀ କ୍ୱାରେଣ୍ଟିନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ସହରରେ ରାଜ୍ୟ ସରକାର ଘୋଷଣା କରିଥିବା ସମ୍ପୂର୍ଣ୍ଣ ‘ସଟଡାଉନ୍’କୁ ନ ମାନି ବାହାରକୁ ବାହାରିଲେ ୧୪ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରହିବାକୂ ପଡ଼ି।  ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଅର୍ଥାତ୍ ୪୮ ଘଣ୍ଟାଯାଏଁ ରାଜଧାନୀ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ‘ସଟଡାଉନ୍’ କରିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର । ଆଜି ଏ ସଂକ୍ରାନ୍ତରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ପୁଲିସ ମହାନିର୍ଦେଶକ ଅଭୟ ।

ଏହି ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଭଦ୍ରକ ସହରର ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ଆଦେଶ ଅମାନ୍ୟ କରି କୌଣସି ବ୍ୟକ୍ତିବିଶେଷ ବାହାରେ ବୁଲାବୁଲି କରୁଥିବା ଦେଖିଲେ ତାଙ୍କୁ ଧରି ନେଇ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନରେ ରଖାଯିବ ।

ମୁଖ୍ୟ ଶାସନ ସଚିବ କହିଲେ ଯେ କରୋନାଭାଇରସ୍ ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ଲାଗୁ କରିଥିବା ବିଦେଶ ଫେରନ୍ତା ବ୍ୟକ୍ତିବିଶେଷଙ୍କ ପଞ୍ଜିକରଣ ବ୍ୟବସ୍ଥାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରିଛନ୍ତି । ମାର୍ଚ ୩୧ ଯାଏଁ ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣଙ୍କୁ ଏକ ଅଙ୍କରେ ସୀମିତ ରଖିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ । ତାହା ସଫଳ ହୋଇଛି । ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ସୀମିତ ଅଛି।

ରାଜ୍ୟରେ ସଂକ୍ରମିତ ୫ମ ବ୍ୟକ୍ତିଜଣକ ବିଦେଶ ଯାତ୍ରା କରି ନ ଥିଲେ । ତେଣୁ ସେ କେମିତି କରୋନାଭାଇରସ୍ ଆକ୍ରାନ୍ତ ହେଲେ ତାହା ଚିନ୍ତାର କାରଣ । କରୋନାଭାଇରସ୍ ପ୍ରତିହତ କରିବାକୁ ଏ ସପ୍ତାହଟି ହେଉଛି ଗୁରତ୍ୱପୂର୍ଣ୍ଣ।

ସେ ଆହୁରି କହିଲେ କି, ସମ୍ପ୍ରତି ରାଜଧାନୀ ଭୁବନେଶ୍ୱରରେ କରୋନାଭାଇରସ୍ ସଂକ୍ରମଣ ୮୦%ରେ ଥିବା ବେଳେ ଭଦ୍ରକ ସହର ୨୦%ରେ ରହିଛି ।

ଭାରତ ସରକାର ଘୋଷଣା କରିଥିବା ୨୧ ଦିନିଆ ଲକଡାଉନରେ କେତେକ ତ୍ରୁଟିବିଚୁ୍ୟତି ରହିଛି । ତେଣୁ ରାଜ୍ୟ ଏହି ଦୁଇଟି ସହରରେ ସମ୍ପୂର୍ଣ୍ଣ ସଟଡାଉନ୍ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିୟମ ଆଧାରରେ ସାଇଣ୍ଟିଫିକ୍ ଟ୍ରାକିଙ୍ଗ୍ ଏବଂ ଟ୍ରେସିଙ୍ଗ୍ କରାଯିବ ।

ପୁଲିସ ମହାନିର୍ଦେଶକ ଅଭୟ କହିଲେ କି, ଏହି ସଟଡାଉନ୍ କର୍ଫ୍ୟୁ ସହ ସମାନ । ୨୧ ଦିନିଆ ଲକଡାଉନ୍ ପାଇଁ ଜାରି ହୋଇଥିବା ସମସ୍ତ ଜରୁରୀକାଳୀନ ପାସ୍ ଏହି ୪୮ ଘଣ୍ଟା ପାଇଁ ପ୍ରତ୍ୟାହାର କରିନିଆଯିବ । ମାତ୍ର ଅଳ୍ପ କେତୋଟି ଔଷଧ ଦୋକାନ ଖୋଲା ରହିବା ସହ ତେଜରାତି, ପନିପରିବା, କ୍ଷୀର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । ଭୁବନେଶ୍ୱରରେ କେତୋଟି ଔଷଧ ଦୋକାନ ଖୋଲା ରହିବ ତାହା ଭୁବନେଶ୍ୱର ମହାନଗର ନିଗମ କହିବ ଏବଂ ଭଦ୍ରକ ସହର ପାଇଁ ଏହା ଜିଲ୍ଲାପାଳ ସ୍ଥିର କରିବେ ।

ଜରୁରୀ ସେବାରେ ନିୟୋଜିତ ଡାକ୍ତର, ଟେଲିଯୋଗାଯୋଗ କର୍ମଚାରୀମାନେ ଏହି ୪୮ ଘଣ୍ଟିଆ ସଟଡାଉନରେ ଯାତାୟାତ କରିବାକୁ ୧୦୦କୁ ଡାଏଲ୍ କରି ନୂଆ ପାସ୍ ପାଇ ପାରିବେ ।ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି ସାମାନ୍ୟ ଅସୁସ୍ଥ ହେଲେ ଡାକ୍ତରଖାନା ନ ଯିବା ଉଚିତ ବୋଲି ପୁଲିସ ମହାନିର୍ଦେଶକ ପରାମର୍ଶ ଦେଇଛନ୍ତି । ଏହା ସେ କହିଛନ୍ତି ଯେ ବହୁସଂଖ୍ୟକ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ସେବା ବ୍ୟବସ୍ଥା କରାଯାଉଛି । ତେଣୁ କେହି ଅଧିକ ଅସୁସ୍ଥ ଅନୁଭବ କଲେ ଆମ୍ବୁଲନସ୍ ଡକାଇ ଡାକ୍ତରଖାନା ଯାଇ ପାରିବେ ।

ସେ ସ୍ପଷ୍ଟ କରାଇ କହିଛନ୍ତି ଯେ ଜାତୀୟ ରାଜପଥରେ ମାଲ ପରିବହନ କରୁଥିବା ଯାନବାହନ ଉପରେ ଏହି ୪୮ଘଣ୍ଟାରେ କୌଣସି କଟକଣା ରହିବ ନାହିଁ ।

ସମ୍ବନ୍ଧିତ ଖବର