ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍‌ ପରଦାକୁ ଆସି ପାରିନାହିଁ

ଓଡ଼ିଆ ଆଲବମ୍‌ ଏବଂ ସିନେମା ଦୁନିଆର ଜଣାଶୁଣା ନାୟିକା ହେଲେ ଲିିପି। ସେ ଶତାଧିକ ଆଲବମରେ କାମ କରିବାପରେ ସିନେମାରେ ସୁଯୋଗ ପାଇଥିଲେ। ତାଙ୍କୁ ବ୍ରେକ୍‌ ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ। ହଁ ଲିପିଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ଥିଲା ‘ଓମ୍‌ ଶାନ୍ତି ଓମ୍‌’। ତେବେ ଏଥିରେ ମୁଖ୍ୟ ନାୟିକା ଚରିତ୍ର ମିଳି ନଥିଲା। ୨୦୦୪ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଦୀପକଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏଥିରେ ଫିମେଲ ଲିଡରେ ଥିଲେ ଅନୁ ଚୌଧୁରୀ ଏବଂ ମେଲ୍‌ ଲିଡରେ ଥିଲେ ସିଦ୍ଧାନ୍ତ।

ଓଲିଉଡର ଅନ୍ୟତମ ସଫଳ ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ମୁକ୍ତିପ୍ରାପ୍ତ ପ୍ରଥମ ସିନେମା ହେଲା ଆଇ ଲଭ୍‌ ମାଇଁ ଇଣ୍ଡିଆ। ହେଲେ ଆପଣ ଜାଣନ୍ତି କି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଆଜି ବି ଅଟକି ରହିଛି।ଏହି ସିନେମାର ଶୀର୍ଷକ ହେଲା-‘ଲଭ୍‌ଷ୍ଟୋରି’। ଏଥିରେ ଫିମେଲ ଲିଡରେ ଥିଲେ ଲିପି ଏବଂ ମେଲ୍‌ ଲିଡରେ ଥିଲେ ବୁଦ୍ଧାଦିତ୍ୟ। ୨୦୦୫ ମସିହାରେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହାର କାମ ଆରମ୍ଭ ହୋଇଥିଲା। ‘ଲଭ୍‌ଷ୍ଟୋରି’ର ସ୍କ୍ରିପ୍ଟ କାମ ଶେଷ ହେବାପରେ ଗୀତ ରେକଡ଼ିଂ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟର ସୁଟିଂ ଆରମ୍ଭ ହୋଇଥିଲା ବିଶାଖାପାଟଣାରେ। ଏଥିସହିତ ଏହି ପିଲ୍ମରେ ବୁଦ୍ଧାଦିତ୍ୟ ଓ ଲିପିଙ୍କ କିଛି ବୋଲ୍‌ଡ଼ ସିନ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା ସେତେବେଳେ। ତେବେ ଏହି ସିଡ଼୍ୟୁଲ୍‌ ସରିବା ପରେ ‘ଲଭ୍‌ଷ୍ଟୋରି’ର କାମ ଅଟକି ରହିଥିଲା,ଯାହାକି ଏଯାବତ୍‌ ପୂରା ହୋଇପାରିନାହିଁ।

ଅବଶ୍ୟ ନିର୍ଦ୍ଦେଶକ ଏହି ସିନେମାର କାହାଣୀ ଆଧାରରେ ପରେ ସବ୍ୟସାଚୀ ଓ ଲିପିଙ୍କୁ ନେଇ ‘ତୁ ମୋରି ପାଇଁ ’ ଫିଲ୍ମର ନିର୍ମାଣ କରିଥିଲେ। ଯଦି ‘ଲଭ୍‌ଷ୍ଟୋରି’ ଠିକ୍‌ ସମୟରେ ମୁକ୍ତିଲାଭ କରିଥାନ୍ତା ତେବେ ଏହା ହିଁ ହୋଇଥାନ୍ତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା। ଖାଲି ସେତିକି ନୁହେଁ ଯଦି ‘ଲଭ୍‌ଷ୍ଟୋରି’ ରିଲିଜ୍‌ ହୋଇଥାନ୍ତା ତେବେ ଦର୍ଶକ ପରଦାରେ ବୁଦ୍ଧାଦିତ୍ୟ – ଲିପିଙ୍କ ଯୋଡିକୁ ଦେଖିବାର ସୁଯୋଗ ପାଇଥାନ୍ତେ। ପ୍ରକାରାନ୍ତରେ କହିବାକୁ ଗଲେ ଉଭୟ କଳାକାରଙ୍କ ରୋମାନସ୍‌ ପରଦାକୁ ଆସି ପାରିନାହିଁ।

ସମ୍ବନ୍ଧିତ ଖବର