୨୦ କେଜି ଓଜନର ଚାବି ଧରି ଭାରତ ଭ୍ରମଣ କରୁଛନ୍ତି ବାବା, ଜାଣନ୍ତୁ କ’ଣ ରହିଛି ଚାବି ପଛର ରହସ୍ୟ…

ପ୍ରୟାଗରାଜ : କୁମ୍ଭ ନଗରୀରେ ଏବେ ବାବାଙ୍କ ଭିଡ ଦେଖିବାକୁ ମିଳୁଛି । ଏଥି ମଧ୍ୟରୁ ଏମିତି କିଛି ବାବା ଅଛନ୍ତି ଯେଉଁମାନଙ୍କ ନିଆରା କାର୍ଯ୍ୟ  ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିଛି। ଏଥି ମଧ୍ୟରୁ ‘ଚାବି ବାଲେ ବାବା’ ଅନ୍ୟତମ । ସେ ‌ହାତରେ ୨୦ କିଲୋର ଚାବି ଧରି ସାରା ଭାରତ ଭ୍ରମଣ କରୁଛନ୍ତି । ଏହି ଚାବିର କାହାଣୀ ମଧ୍ୟ ରହସ୍ୟମୟ ଅଟେ। ଏଥି ପାଇଁ ଲୋକେ ତାଙ୍କୁ ରହସ୍ୟମୟ ‘ଚାବି ବାଲେ ବାବା’ କହନ୍ତି ।

ଏକ ନୂଆ ଯୁଗର କଲ୍ପନା କରି ସେ ଚାବି ଧରି ସାରା ଭାରତ ଭ୍ରମଣ କରୁଛନ୍ତି । ବାବାଙ୍କ ପ୍ରକୃତ ନାମ ହେଉଛି ହରିଶ୍ଚନ୍ଦ୍ର ବିଶ୍ବକର୍ମା (୪୫) । ସେ ଉତ୍ତର ପ୍ରଦେଶର ରାଏବରେଲିର ବାସିନ୍ଦା ଅଟନ୍ତି । ବାବା ହରିଶ୍ଚନ୍ଦ୍ର ଛୋଟବେ‌ଳୁ ଆଧ୍ୟାତ୍ମିକତା ପ୍ରତି ରୁଚି ରଖୁଥିଲେ। କିନ୍ତୁ ଘର ଲୋକଙ୍କ ଭୟରେ ସେ କିଛି କହି ପାରୁନଥିଲେ । ୧୬ ବର୍ଷ ବୟଷରେ ସେ ସମାଜରେ ଘୃଣା ଓ ଅହଂକାର ସହ ଲଢିବା ପାଇଁ ଘର ଛାଡି ଚାଲି ଆସିଥିଲେ।  କିଛି ବର୍ଷ ହେବ ବାବା ନିଜ ସାଥିରେ ୨୦ କିଲୋର ଚାବି ଧରି ସାରା ଭାରତ ପଦଯାତ୍ରା କରୁଛନ୍ତି । ଯାତ୍ରା ଦ୍ବାରା ସେ ଲୋକଙ୍କ ମନରେ ଥିବା ଅହଂକାରର ତାଲାକୁ ନିଜ ଚାବି ଦ୍ବାରା ଖୋଳୁଛନ୍ତି । ବାବା ଲୋକଙ୍କ ଅହଂକାରକୁ ଭାଙ୍ଗି ଲୋକଙ୍କୁ ନୂଆ ରାସ୍ତା ଦେଖାଉଛନ୍ତି ।

ବାବା ସ୍ବାମୀ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି । ତାଙ୍କ କହିବା କଥା, ଲୋକମାନେ ଏହି ଚାବିର ରହସ୍ୟକୁ ଜାଣିବାକୁ ଚାହୁଁ ନାହାନ୍ତି, ମୁଁ ଯେତେବେଳେ ଲୋକଙ୍କ ପାଖକୁ ଚାବି ନେଇ ଯାଏ ଲୋକ କହନ୍ତି କି ବାବା ମୋ ପାଖରେ ଖୁୁଚୁରା ନାହିଁ । ଲୋକଙ୍କୁ ଏପରି ଲାଗେ ଯେ ମୁଁ ସେମାନଙ୍କୁ ପଇସା ମାଗୁଛି । କିନ୍ତୁ ମୁଁ ପ୍ରକୃତରେ ସମାଜର ଭ୍ରଷ୍ଟାଚାର ଓ ମଣିଷ ମନରେ ଥିବା ଅହଂକାରକୁ ନଷ୍ଟ କରି ଏକ ନୂଆ ଯୁଗର କଳ୍ପନା ପାଇଁ ମୁଁ ମୋର ସାରା ଜୀବନ ସର୍ମପଣ କରି ଦେଇଛି ।

ସମ୍ବନ୍ଧିତ ଖବର