କାନଫୁଲର ବଦଳୁଛି ଷ୍ଟାଇଲ୍‌: ୧ରୁ ୧୫ ଗ୍ରାମର ଚାହିଦା ଅଧିକ

ଦିନ ଥିଲା ମହିଳାମାନେ କାନରେ କାନରିଙ୍ଗ୍‌ କିମ୍ବା ଝୁମୁକା ଆଦି ପିନ୍ଧୁଥିଲେ। କିନ୍ତୁ ଏବେ ସମୟ ବଦଳିବା ସହିତ ମହିଳାମାନେ ବିଭିନ୍ନ ଡିଜାଇନ୍‌ ଓ ଷ୍ଟାଇଲ୍‌ର କାନଫୁଲ ପିନ୍ଧୁଛନ୍ତି। ପାରମ୍ପରିକ କାନଫୁଲ ପରିବର୍ତେ ଏବେ ଡିଜାଇନ୍‌ ଓ ଷ୍ଟାଇଲିସ୍‌ କାନଫୁଲର ଚାହିଦା ଅଧିକ ରହୁଛି। ଏହାକୁ ଦେଖି ରାଜ୍ୟର ଗହଣଶ ସୋରୁମ୍‌ ଗୁଡ଼ିକ ଭଳିକି ଭଳି ଡିଜାଇନ୍‌ର କାନଫୁଲ ପର୍ଯ୍ୟାପ୍ତ ସଂଖ୍ୟାରେ ଗ୍ରାହକଙ୍କ ପାଇଁ ମହଜୁଦ ରଖିଛନ୍ତି। ରାଜ୍ୟରେ ମହିଳାମାନଙ୍କ କାନଫୁଲ ପିନ୍ଧିବା ସମ୍ପର୍କିତ ପସନ୍ଦ ଏବଂ ଭେରାଇଟିକୁ ନେଇ ଏହି ସ୍ୱତନ୍ତ୍ର ଉପସ୍ଥାପନା:

୧ରୁ ୧୫ ଗ୍ରାମର ଚାହିଦା ଅଧିକ
ଗ୍ରାହକମାନେ ବିଭିନ୍ନ ଡିଜାଇନ୍‌ ସହିତ ଆକାରର କାନଫୁଲ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ମହିଳା ସେମାନଙ୍କ କାନକୁ ସୁନ୍ଦର ଦେଖାଯିବା ଭଳି କାନଫୁଲ ଚୟନ କରୁଛନ୍ତି। କାନଫୁଲ ଗୁଡ଼ିକ ସାଧାରଣତଃ ୧ ଗ୍ରାମରୁ ଆରମ୍ଭ ହେଉଛି। ଅଧିକ ଓଜନର ଧାତୁରେ ମଧ୍ୟ ଏଗୁଡ଼ିକ ପ୍ରସ୍ତୁତ ହେଉଛି। ବଜାରରେ କିନ୍ତୁ ୧ରୁ ୧୫ ଗ୍ରାମ ଓଜନର କାନଫୁଲ ଅଧିକ ସଂଖ୍ୟାରେ ବିକ୍ରି ହେଉଛି।

ପ୍ଲାଟିନମ୍‌-ରୋଡିୟମ୍‌ କାନଫୁଲ ଆଗରେ
ରକ୍ଷଣଶୀଳ ମନୋଭାବ ଥିବା ମହିଳାମାନେ ସୁନାରେ ପ୍ରସ୍ତୁତ କାନଫୁଲ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଆଧୁନିକ ଚିନ୍ତାଧାରା ସମ୍ପନ୍ନ ମହିଳାମାନେ ପ୍ଲାଟିନମ୍‌ ଏବଂ ରୋଡିୟମ୍‌ ଧାତୁରେ ତିଆରି ହୋଇଥିବା ପଲିସ୍‌ଡ କାନଫୁଲକୁ ଅଧିକ ପସନ୍ଦ କରୁଛନ୍ତି।

ବଡ଼ ଓ ମଧ୍ୟମ ଆକାର ବିକ୍ରି ଅଧିକ
ବର୍ତମାନ ବଜାରରେ ବଡ଼ ଏବଂ ମଧ୍ୟମ ଆକାରର କାନଫୁଲ ଅଧିକ ସଂଖ୍ୟାରେ ବିକ୍ରି ହେଉଛି। ଯୁବତୀମାନେ ବଡ଼ ଡିଜାଇନ୍‌ର କାନଫୁଲ ପସନ୍ଦ କରୁଥିବାବେଳେ ମହିଳାମାନେ ମଧ୍ୟମ ଆକାରର କାନଫୁଲ ଅଧିକ ମାତ୍ରାରେ ପରିଧାନ କରୁଛନ୍ତି।

୨୦୦୦ ଟଙ୍କାରୁ ଆରମ୍ଭ
ସୁନା କାନଫୁଲ ଗୁଡ଼ିକର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କାରୁ ଆରମ୍ଭ ହୋଇଯାଉଛି। ହୀରା ଓ ଅନ୍ୟ ମୂଲ୍ୟବାନ ଧାତୁରେ ପ୍ରସ୍ତୁତ କାନଫୁଲ ଦର ଏହାଠାରୁ ଯଥେଷ୍ଟ ଅଧିକ ରହୁଛି। ତେବେ ଗୋଲ୍‌ଡ ପ୍ଲେଟେଡ ଫେସନେବଲ୍‌ କାନଫୁଲ ମୂଲ୍ୟ କମ୍‌ ରହୁଛି।

ବଜାରରେ ୧୫୦୦ରୁ ଅଧିକ ଡିଜାଇନ୍‌
ଅଧିକାଂଶ ଗହଣା ଦୋକାନରେ ପାଖାପାଖି ୧୫୦୦ରୁ ୨୦୦୦ ପ୍ରକାରର କାନଫୁଲ ଉପଲବ୍ଧ ହେଉଛି। ଯଦି ବଜାର ସାରା ବୁଲିବେ ତା’ହେଲେ କାନଫୁଲ ଡିଜାଇନ୍‌ ସଂଖ୍ୟା ୨୦ ହଜାରରୁ ଅଧିକ ହେବ। କେତେକ ମହିଳା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଡିଜାଇନ୍‌ର କାନଫୁଲ କିଣିବାକୁ ଭଲ ପାଉଥିବାବେଳେ ଅନ୍ୟମାନେ ବଜାରରେ ଅଧିକ ବିକ୍ରି ହେଉଥିବା କାନଫୁଲ ଗୁଡ଼ିକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର