ସାକ୍ଷୀଗୋପାଳ: ଜୟଦୁର୍ଗା ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି, ସୁନା ମୁକୁଟ ଚୋରି

ସାକ୍ଷୀଗୋପାଳ: ଗତକାଲି ରାତିରେ କେହି ଦୁର୍ବୃତ୍ତ ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଥିବା ଜୟଦୁର୍ଗା ମନ୍ଦିରରେ ଥିବା ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ସମେତ ସମସ୍ତ ଅଳଙ୍କାର ପତ୍ର ଚୋରି କରି ନେଇଛନ୍ତି। ଏହି ଘଟଣାରେ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ନୂଆଗାଁ ଗ୍ରାମରେ ଥିବା ଜୟଦୁର୍ଗା ମନ୍ଦିରର କବାଟ ଖୋଲି ଥିବା ଦେଖିବାକୁ ମିଳିଥିଲା। ମନ୍ଦିରରେ ଥିବା ମା ଜୟଦୁର୍ଗାଙ୍କ ଅଷ୍ଠଧାତୂ ନିର୍ମିତ ମୂର୍ତ୍ତି, ସୁନା ମୁକୁଟ ସହିତ ନୀଳକଣ୍ଠ,ସୋମନାଥ, ଗୋପୀନାଥ ଓ ରାଧାକୃଷ୍ଣଙ୍କ ମୁର୍ତ୍ତି ପ୍ରଭୃତି ଚୋରି ହୋଇ ଯାଇଥିବା ମନ୍ଦିର ପୂଜକ ଦେଖିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ୫ଟି ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହି ଚୋରି ସମ୍ପର୍କରେ ଗାଁ ଲୋକେ ଜାଣିବା ପରେ ଗାଁରେ ଉତ୍ତେଜନା ଦେଖାଦେବା ସହିତ ପୁଲିସକୂ ସୂଚନା ଦିଆଯାଇଥିଲା। ଏସଡିପିଓ ଦିଲ୍ଲୀପ କୁମାର ତ୍ରିିପାଠୀ ଓ ଅନ୍ୟ ପୁଲିସ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ ଯେ ବାରମ୍ବାର ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଥିବା ଅଷ୍ଟଧାତୁ ମୂର୍ତ୍ତି ଗୁଡ଼ିକ ଚୋରି ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର