ଦୀପାବଳି ପାଇଁ ଦୀପ ପସରା

ଭୁବନେଶ୍ୱର : ଦୀପାବଳିରେ ଦୀପ ଜାଳିବା ଆମ ସଂସ୍କୃତିର ଏକ ଅଂଶ। ଅମାବାସ୍ୟା ରାତିକୁ ଆଲୋକରେ ଝଲସାଇବା ତଥା ନୂଆ କରି ବିଲରେ ହେଇଥିବା ଫସଲକୁ ପୋକ ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଦୀପାବଳି ରାତିରେ ଦୀପ ଜାଳିବା ପରମ୍ପରା ରହିଛି। ଆଜିର ଅତ୍ୟାଧୁନିକ ଯୁଗରେ ଲିଚୁଠାରୁ ଆରମ୍ଭ କରି ବିଭିନ୍ନ ରଙ୍ଗିନ ଆଲୋକ ସଜ୍ଜା ଉପଲବ୍ଧ ହେଉଥିଲେ ମଧ୍ୟ ଏହି ଦିନରେ ଦୀପର ଚାହିଦା କମିନି। ବରଂ ବଢ଼ିବାରେ ଲାଗିଛି। ଲୋକମାନଙ୍କର ଏହି ଚାହିଦାକୁ ଅକ୍ଷୁର୍ଣ୍ଣ ରଖିି ଦୀପକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଦୀପ କାରିଗରମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ିବାରେ ଲାଗିଛି। ଫଳରେ ବଜାରରେ ଏବେ ୩୦ରୁ ଊର୍ଧ୍ୱ ଡିଜାଇନ୍‌ର ମାଟି ଦୀପ ମିଳୁଛି।

ପାରମ୍ପରିକ ଦୀପ ସହ ହ୍ୟାଙ୍ଗିଙ୍ଗ୍‌ ଦୀପ, ହ୍ୟାଙ୍ଗିଙ୍ଗ୍‌ ଦିଆ ଲ୍ୟାମ୍ପ୍‌, ଷ୍ଟୋନ୍‌ ଦୀପ, କଲର୍‌ ଦୀପ ସହ ବିଭିନ୍ନ ଆକୃତିର ଦୀପ ବିଭିନ୍ନ ସ୍ଥାନୀୟ ଓ ଅସ୍ଥାୟୀ ଦୋକାନରେ ଦେଖିବାକୁ ମିଳୁଛି। ଛୋଟ ଦୀପର ମୂଲ୍ୟ ୫ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ସବୁଠାରୁ ବଡ଼ ଦୀପ ୭ ହଜାର ଟଙ୍କାରେ ବିକ୍ରି ହେଉଛି। ପୁଣି ହ୍ୟାଙ୍ଗିଙ୍ଗ୍‌ ଦୀପର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏତଦ୍‌ବ୍ୟତୀତ ଷ୍ଟୋନ୍‌ ଓ ରଙ୍ଗିନ୍‌ ଦୀପ ୪୦ ଟଙ୍କା, ଆମ୍ବ ଦୀପ ୨୦ ଟଙ୍କା, ଗଣେଶ ଦୀପ ୫୦ ଟଙ୍କା, କଳସ ଦୀପ ୨୦ ଟଙ୍କା, ନଡ଼ିଆ ଗଛ ଦୀପ ୧୦୦ଟଙ୍କା ରହିଛି।

ମୃତ୍ତିକା ପ୍ରଦର୍ଶନୀରେ କୋରାପୁଟରୁ ଆସି ନିଜ ହାତ ତିଆରି ଦୀପ ପସରା ଖୋଲିିଥିବା ଶିବାନୀ ପ୍ରିୟଦର୍ଶିନୀ କୁହନ୍ତି, ଲୋକଙ୍କ ରୁଚିକୁ ନଜରରେ ରଖି ଆମେ ସାଧାରଣ ଦୀପକୁ ନିଆରା ସ୍ପର୍ଶ ଦେଉଛୁ। ଯୁଗ ସହ ପରମ୍ପରାକୁ ନେଇ ଚାଲିବାର ଏହା ଏକ ମାଧ୍ୟମ। ଫଳରେ ପାରମ୍ପରିକ ଦୀପ ହଜିଯିବ ନାହିଁ କି ଆମ ବେଉସା ବୁଡ଼ିବ ନାହିଁ। ତେଣୁ ଆଲୋକ ସହ ଝଲସିବା ପାଇଁ କିଏ ବିଭିନ୍ନ ରଙ୍ଗର ଷ୍ଟୋନ୍‌ ଓ ମାଳି ମାଟି ଦୀପରେ ଖଞ୍ଜି ଦେଇଛି ତ’ ପୁଣି କିଏ ରଙ୍ଗରେ ରଙ୍ଗିନ୍‌ କରିଦେଇଛି ଦୀପ ସବୁକୁ। ଏହି ସବୁ ରଙ୍ଗିନ୍‌ ଦୀପରୁ ଦୀପ ଜାଳି ସାରିବା ପରେ ପଡ଼ୁଥିବା କଳାକୁ ସହଜରେ ସଫା କରିହେବ ଓ ଦୀପ ପୁଣି ଚମକିବ ବୋଲି ସେ କହିଛନ୍ତି। ତେବେ ସାଧାରଣ ଦୀପଠାରୁ ଆରମ୍ଭ କରି ଡିଜାଇନ୍‌ ଦୀପ ପର୍ଯ୍ୟନ୍ତ ସବୁ ପ୍ରକାର ଦୀପ ଗ୍ରାହକଙ୍କ ଚାହିଦାରେ ରହିଛି ବୋଲି ଶିବାନୀ କୁହନ୍ତି। ଦୀପାବଳି ଯେତେ ପାଖେଇ ଆସୁଛି ଦୀପ ପାଇଁ ଖାଲି ମୃତ୍ତିକା ପ୍ରଦର୍ଶନୀରେ ନୁହେଁ ବଜାରରେ ବି ଭିଡ଼ ବେଶ୍‌ ଜମୁଛି।

ସମ୍ବନ୍ଧିତ ଖବର