ଗୁଜୁରାଟର ଭାରୁଚରୁ ୫୦ କୋଟିର ଅଚଳ ନୋଟ ଜବତ

ନିର୍ବାଚନ ଚାଲିଥିବା ଗୁଜୁରାଟର ଭାରୁଚ ଜିଲ୍ଲାର ଏକ କମ୍ପାନିର ଅଫିସରୁ ପ୍ରାୟ ୫୦ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଛି । ଅର୍ଥମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏସବୁ ନୋଟ ଜବତ ହୋଇଥିବା ଜଣାପଡିଛି । ଏତେ ପରିମାଣର ଅଚଳ ନୋଟ୍‌ କାହିଁକି ରଖାଯାଇଥିଲା ତାହା ସଂପର୍କରେ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି ।

ମିଳିଥିବା ସରକାରୀ ସୂଚନାରୁ ପ୍ରକାଶ ଯେ ଗତକାଲି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଚାଲିଥିବାବେଳେ ସୁରତ ଡିଆରଆଇ ଶାଖା ଓ ଭଦୋଦରା କେନ୍ଦ୍ରୀୟ ଜିଏସଟି ଅଫିସର ଅଧିକାରୀମାନେ ଭାରୁଚସ୍ଥିତ ମେସର୍ସ ଯମୁନା ବିଲଡିଂ ମ୍ୟାଟେରିଆଲ ଅଫିସରେ ମିଳିତଭାବେ ଚଢାଉ କରି ପ୍ରାୟ ୪୮.୯୧ କୋଟି ଟଙ୍କାର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଜବତ କରିଛନ୍ତି । କେତେକ ନିର୍ଦ୍ଦିଷ୍ଟ ସୁତ୍ରରୁ ଖବର ପାଇ ଅଧିକାରୀମାନେ ଏହି ଚଢଉ କରିଥିଲେ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାୟ ୪୯ କୋଟି ଟଙ୍କା ଜବତ ହୋଇଥିବାରୁ ଦୋଷୀମାନଙ୍କ ଉପରେ ଏହାର ପ୍ରାୟ ୫ ଗୁଣ ଅର୍ଥାତ ପ୍ରାୟ ୨୫୦ କୋଟି ଟଙ୍କାର ଜୋରିମାନା କରାଯିବ । ସ୍ପେସିଫିକ୍‌ ବ୍ୟାଙ୍କ ନୋଟ୍‌ (ସିସେସନ ଅଫ ଲିଆବିଲିଟିଜ୍‌ ) ଆଇନ ୨୦୧୭ ଅନୁସାରେ ଏହି ଜୋରିମାନା କରାଯିବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର