ଦେଇପାରୁନାହାନ୍ତି ଗୁଣାତ୍ମକ ସେବା: ରିଲାଏନ୍ସ ଜିଓ,ଏୟାରଟେଲ୍‌, ଭୋଡାଫୋନ, ଏୟାରସେଲ୍‌, ବିଏସ୍‌ଏନ୍‌ଏଲ୍‌ ଓ ଆଇଡିଆ ଉପରେ ଜରିମାନା

୨୦୧୭ ଅକ୍ଟୋବର-ଡିସେମ୍ବର ମଧ୍ୟରେ ଖରାପ ସେବା ପ୍ରଦାନ

ନୂଆଦିଲ୍ଲୀ: ମୋବାଇଲ୍‌ କଂପାନିଗୁଡ଼ିକ ଗ୍ରାହକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ପାରୁନାହାନ୍ତି। କଲ୍‌ ଡ୍ରପ୍‌, ମିଟରିଂ ଓ ବିଲିଂ ଓ କଲ୍‌ ସେଣ୍ଟର୍‌ ସେବା ଆଦୌ ସନ୍ତୋଷଜନକ ନୁହେଁ। ଏହି ସବୁ ସେବାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଏକ ସ୍ତର ନିର୍ଧାରଣ କରାଯାଇଛି। ଦେଶର ପ୍ରାୟ ସବୁ ମୋବାଇଲ୍‌ କଂପାନି ସେହି ସ୍ତର ହାସଲ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଏ) ପକ୍ଷରୁ ମୋବାଇଲ୍‌ କଂପାନିଗୁଡ଼ିକ ଉପରେ ଜରିମାନା ଲାଗୁ କରାଯାଇଛି। ରିଲାଏନ୍ସ ଜିଓ, ଏୟାରଟେଲ୍‌, ଭୋଡାଫୋନ, ଏୟାରସେଲ୍‌, ବିଏସ୍‌ଏନ୍‌ଏଲ୍‌ ଓ ଆଇଡିଆ ଉପରେ ଜରିମାନା ଲାଗୁ କରାଯାଇଛି।

ତେବେ କେଉଁ କଂପାନି ଉପରେ କେତେ ପରିମାଣର ଜରିମାନା ଲାଗୁ କରାଯାଇଛି ତାହା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇନାହିଁ। ୨୦୧୭ ଅକ୍ଟୋବର-ଡିସେମ୍ବର ମଧ୍ୟରେ ଖରାପ ସେବା ପ୍ରଦାନ କରିଥିବାରୁ କଂପାନିଗୁଡ଼ିକ ଉପରେ ଏହି ଜରିମାନା ଲାଗୁ କରାଯାଇଛି। ୨୦୧୮ଜାନୁଆରି-ମାର୍ଚ ମଧ୍ୟରେ କଲ୍‌ ଡ୍ରପ୍‌ ସମସ୍ୟା ଜଟିଳ ସ୍ଥିତିରେ ପହଞ୍ଚିଯାଇଥିଲା। ସେଥିପାଇଁ ଟ୍ରାଇ ପକ୍ଷରୁ ମୋବାଇଲ୍‌ କଂପାନିଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୨୦୧୭ ସେପ୍ଟେମ୍ବର ୧ଠାରୁ ଟ୍ରାଇ ପକ୍ଷରୁ ଗୁଣାତ୍ମକ ସେବା ନିୟମକୁ କଡ଼ାକଡ଼ି କରାଯାଇଛି। ଏବେ ପ୍ରତି ଟାଓ୍ଵାର ହିସାବରେ କଲ୍‌ ଡ୍ରପ୍‌ ଆକଳନ କରାଯାଉଛି। ପୂର୍ବରୁ ସମ୍ପୂର୍ଣ୍ଣ ସର୍କଲ୍‌ର କଲ୍‌ ଡ୍ରପ୍‌ ବିଚାରକୁ ନିଆଯାଉଥିଲା। ସେହି ହିସାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାପଡ଼ୁନଥିଲା। କେଉଁ ଅଞ୍ଚଳରେ କଲ୍‌ ଡ୍ରପ୍‌ ସମସ୍ୟା ଅଧିକ ଓ ତାହାର କାରଣ କ’ଣ ତାହା ମଧ୍ୟ ଜଣାପଡ଼ୁନଥିଲା।

ସମ୍ବନ୍ଧିତ ଖବର