ଯାଜପୁର ଉଠା ଜଳସେଚନ ଡିଭିଜନରେ ଦୁର୍ନୀତି, କେମିତି ଖର୍ଚ୍ଚ ହୋଇଛି ୧୦୦ କୋଟି?

ଯାଜପୁର: ଯାଜପୁରରେ ଉଠାଜଳସେଚନ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଯାଜପୁରରୋଡସ୍ଥିତ ଉଠା ଜଳସେଚନ ଡିଭିଜନ୍ ଅଧୀନରେ ଥିବା ୫ଟି ଉପଖଣ୍ଡରେ ଉଠା ଜଳ‌ସେଚନ ପ୍ରକଳ୍ପ ନାମରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଗୋଟିଏ ପଟେ ୫ ବର୍ଷ ମଧ୍ୟରେ ଦୁର୍ନୀତି କାୟା ବିସ୍ତାର କରିଥିବାବେଳେ ଅନ୍ୟପଟେ ଶହଶହ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଏପରିକି, ପମ୍ପ୍‌ ହାଉସରୁ ପମ୍ପ୍‌ ଗାଏବ ହୋଇଥିବା ଦେଖିବାକୁ ମିଳିଛି। କାଗଜପତ୍ରରେ ଦର୍ଶାଯାଇଛି ଯେ, ୩୪ହଜାର ହେକ୍ଟର ଜମି ଉଠାଜଳସେଚନ ମାଧ୍ୟମରେ ଜଳସେଚିତ ହୋଇଛି। ମାତ୍ର, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବହୁସ୍ଥାନରେ କ୍ରସର୍‌ ମାଲିକ ଓ ପ୍ରଭାବଶାଳୀ ବ୍ୟକ୍ତି ନିଜ ଘରେ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଯେଉଁ କେତେକ ଜଳସେଚନ ପାଇଁ ଖନନ କରାଯାଇଛି; ସେଥିରୁ ଅଧିକାଂଶ ଅଚଳ। ନିମ୍ନମାନର ପାଇପ, ବିଦ୍ୟୁତ ସରଞ୍ଜାମ ଓ କାର୍ଯ୍ୟ ପାଇଁ ପ୍ରକଳ୍ପ ଅଚଳ ହୋଇପଡ଼ିଛି।

ଅପରପକ୍ଷେ, ୫ ବର୍ଷ ମଧ୍ୟରେ ଏହି ଡିଭିଜନ ଜରିଆରେ ପ୍ରାୟ ଶହେ କୋଟି ଟଙ୍କାର କାମ ହୋଇଛି। ୨୦୧୬ ମସିହାରେ ୧୦କୋଟି ୨ ଲକ୍ଷ ୫୧ହଜାର ୬୯୩ ଟଙ୍କା, ୨୦୧୭ରେ ୨୮କୋଟି ୬୪ ଲକ୍ଷ ୮୪ହଜାର ୩୩୭ ଟଙ୍କା, ୨୦୧୮ରେ ୩କୋଟି ୧୨ଲକ୍ଷ ୬୪ ହଜାର ୩୭୦ଟଙ୍କା ଏବଂ ୨୦୧୯ ମସିହାରେ ୫୪ କୋଟି ୪୨ ଲକ୍ଷ ୮୫ ହଜାର ୬୯୪ ଟଙ୍କା ଏହିପରି ମୋଟ ୯୬କୋଟି ୨୨ ଲକ୍ଷ ୮୬ ହଜାର ୯୪ ଟଙ୍କା ଅନୁଦାନ ‌ଯୋଗାଇ ଦିଆଯାଇଛି। ତେବେ, ଏତେ ପରିମାଣର ଅର୍ଥ କିଭଳି ଖର୍ଚ୍ଚ ହୋଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଅର୍ଥ କିଭଳି ଖର୍ଚ୍ଚ ହୋଇଛି ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ବଡ଼ଚଣା ଘଟଣାରୁ ଜଣାପଡ଼ିଛି। ବଡଚଣା ବ୍ଲକର ବନ୍ଧା ପଦ୍ମନାଭ ଉଠା ଜଳସେଚନ ସବ୍ ଡିଭିଜନ ଅନ୍ତର୍ଗତ ଅଣକା ଗ୍ରାମ ପଞ୍ଚାୟତରେ ଏକାଧିକ ଏଲ୍ଆଇ ପଏଣ୍ଟ ଓ ଆରଏଲ୍ ପଏଣ୍ଟ ରହିଛି। ଅଧିକାଂଶ ପ୍ରକଳ୍ପ ଚାଲିବା ଅବସ୍ଥାରେ ନାହିଁ। ଖଡିଅଙ୍ଗ ଠାରେ ଥିବା ମହାଦେଈପୁର ପ୍ରକଳ୍ପ ଅଚଳ। ଏଥିରେ ପୁଣି ୨୦୧୮ ଆର୍ଥିକ ବର୍ଷରେ ୫ଲକ୍ଷ ୮୦ ହଜାର ୪୭୮ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ଫଳକରେ ଉଲ୍ଲେଖ ଅଛି। ଲକ୍ଷ ଲକ୍ଷ ଟଙ୍କା ଟଙ୍କା ଗତ ବର୍ଷ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଅଚଳ। ଯାଜପୁରରୋଡ଼ ଉଠାଜଳସେଚନ ଡିଭିଜନରେ ଏହିପରି ଶତାଧିକ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଯନ୍ତ୍ରୀ ଓ ଠିକାଦାର କୋଟି କୋଟି ଟଙ୍କା ହରିଲୁଟ କରିଚାଲିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅସାଧୁ ମେଣ୍ଟର କେଳେଙ୍କାରୀ ପଦାରେ ପଡ଼ିବ ବୋଲି କ୍ଷତିଗ୍ରସ୍ତ ଶହ ଶହ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର